ତୁଟିଲା ପ୍ରଶାସନ ଓ ନେତାଙ୍କ ଉପରୁ ଭରସା: ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଲାଞ୍ଜିଗଡ଼: ଗାଁକୁ ଯିବାକୁ ମାଟି ରାସ୍ତାଟିଏ ମଧ୍ୟ ନାହିଁ। ଏପଟେ ପାଦଚଳା ରାସ୍ତା ଦେଇ ଆଦିବାସୀ-ହରିଜନ ପଲ୍ଲୀରେ ପହଞ୍ଚି ପାରୁନାହିଁ ସଭ୍ୟତାର ଆଳୋକ। ଦିର୍ଘ ବର୍ଷ ହେଲା ରାସ୍ତାଟିଏ ପାଇଁ ପ୍ରଶାସନ ଓ ନିର୍ବାଚିତ ଲୋକପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ କୈାଣସି ଲାଭ ହେଲାନାହିଁ। ଏହା ଭିତରେ କେତେ ବିଧାୟକ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଗଲେ ଆସିଲେ କିନ୍ତୁ ଦୁର୍ଗମ ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗାଁ ରହିଗଲା ଯେଉଁ ତିମିରକୁ ସେହି ତିମିରେ। ଶେଷରେ ନେତା ଓ ପ୍ରଶାସନ ଉପରୁ ତୁଟିଗଲା ଭରସା। ହାତରେ ଖଣତି ଓ କୋଦାଳ, ମୁଣ୍ଡରେ ଝୋଡି ଧରି ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣରେ ଲାଗିଗଲେ ଗ୍ରାମବାସୀ। ପ୍ରଶାସନକୁ ଆଉ ଅପେକ୍ଷା ନ କରି ୧ କି.ମି. ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏହା ହେଉଛି ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗାଁର ବାସ୍ତବ ଚିତ୍ର।


ସମସ୍ୟାର ଚାରି ଛକରେ ବନ୍ଧା ପଡ଼ିଛି ଲାଞ୍ଜିଗଡ଼ ବ୍ଲକର ଥୁଆଙ୍ଗପଦର ଗାଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କୃଷି, ପଶୁ ପାଳନ ସବୁ କ୍ଷେତ୍ରରେ ପଛୁଆ ହୋଇ ପଡିଛି ଏହି ଗାଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଏଠାରେ ଅପହଁଞ୍ଚି ହୋଇ ରହିଛି। ବାଧକ ସାଜିଛି ରାସ୍ତା। ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ଅଢେଇ କି.ମି. ଦୂରରେ ଏହି ଗାଁଟି ରହିଥିବା ବେଳେ ହାରାହାରି ୧୫୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପରିବାର ଏଠାରେ ବାସ କରନ୍ତି। ଜନସଂଖ୍ୟା ୭ ଶହରୁ ଉର୍ଦ୍ଧ୍ବ। ଗାଁକୁ ରାସ୍ତାଟିଏ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପଞ୍ଚାୟତ, ବ୍ଲକ କିମ୍ବା ଜିଲ୍ଲା ଜିଲ୍ଲା ପ୍ରଶାସନର ସୁଦୃଷ୍ଟି ଏହି ଗାଁ ଉପରେ ପଡୁନଥିବା ଯୋଗୁଁ ଆଜିବି ଗାଁକୁ ମାଟି ରାସ୍ତା ଟିଏ ମଧ୍ୟ ସାତ ସପନ ହୋଇ ରହିଛି। ଯାହାକୁ ରାସ୍ତା ବୋଲି କୁହାଯାଉଛି, ତାହା ଏକ ଦୁର୍ଗମ ପଥ। ଏହି ପଥ ଗାଁଠାରୁ ୧ କି.ମି. ଦୂର ରୋଘାଗୁଡା ଗାଁ ପର୍ଯ୍ୟନ୍ତ ଖାଲ ଖମାରେ ଭର୍ତ୍ତି ହୋଇ ରହିଛି।


ଏହା ଦୀର୍ଘ କୋଡ଼ିଏ ବର୍ଷଧରି ଅଚଳହୋଇ ପଡିରହିଛି।ଯାହା ଫଳରେ ଗାଁ ଲୋକେ ବହୁ କଷ୍ଟରେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଥିବା ବେଳେ ଗାଁକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସି ପାରୁନାହିଁ।ଗ୍ରାମର ଗର୍ବବତୀ, ପ୍ରସୂତି ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ରୋଘାଗୁଡା ଗ୍ରାମକୁ ନେଇ ସେଠାରୁ ଆମ୍ବୁଲାନ୍ସ ଦ୍ବାରା ଡାକ୍ତରଖାନାକୁ ନିଆ ଯାଉଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ବାରମ୍ବାର ଅଭିଯୋଗ ପରେବି ସରକାର ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ଗାଁର ଯୁବଗୋଷ୍ଠୀ ଏବଂ ଗ୍ରାମବାସୀ ଏକଜୁଟ ହୋଇ ପ୍ରତି ଘର ପିଛା ୫୦ ଟଙ୍କା ଲେଖାଏଁ ଅର୍ଥ ସଂଗ୍ରହ କରି ୪ ଗୋଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିପି ମେସିନ ସାହାଯ୍ୟରେ ନିର୍ମାଣ କରୁଛନ୍ତି ଏହି ପଥ। ଗ୍ରାମର ଯୁବଗୋଷ୍ଠୀ, ମହିଳା ଓ ପୁରୁଷ ସମସ୍ତେ ଶ୍ରମଦାନ କରିଛନ୍ତି। ଏହି ରାସ୍ତା ନିର୍ମାଣରେ ଗାଁର ଯୁବଗୋଷ୍ଠୀ ଅଶୋକ ପ୍ରଧାନୀ, ବିଷ୍ଣୁ ମାଝୀ, ପ୍ରଦୀପ ମାଝୀ, ସଦା ମାଝୀ, ହେମନ୍ତ ନାଏକ, ଦୈତାରୀ ନାଏକ, ମନୋଜ ପ୍ରଧାନୀ, ବେଣୁଧର ପ୍ରଧାନୀ, ମୁନା ପ୍ରଧାନୀଙ୍କ ମୁଖ୍ୟ ଭୂମିକା ରହିଛି। ଏମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.