କଳାହାଣ୍ଡି, ୨୩|୮ (ଲିଙ୍ଗରାଜ ମିଶ୍ର): ନିର୍ମାଣ ପୂର୍ବ ଯୋଜନା ପ୍ରସ୍ତୁତି ସମୟରେ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ଇନ୍ଦ୍ରମାଳ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସଓ୍ବାଇ) ରାସ୍ତା ଅଧପନ୍ତରିଆ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ନର୍ଲା ବ୍ଲକ ଘଣ୍ଟମାଳ ପଞ୍ଚାୟତ ଅଧିନସ୍ଥ ଇନ୍ଦ୍ରମାଳ ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା ବିଭାଗୀୟ ଦୂରଦୃଷ୍ଟି ଅଭାବ ସହ ଠିକାଦାର ପୋଷା ନିତି ଯୋଗୁଁ ଅଧାପନ୍ତରିଆ ଭାବେ ପଡିରହିଥିବା ଚର୍ଚ୍ଚା ହେଉଛି। ମଦନପୁର ରାମପୁର ଠାରୁ ଭବାନୀପାଟଣା ରାଜ୍ୟ ରାଜପଥ ପିଡବ୍ଲୁଡି ରାସ୍ତା ଠାରୁ ଇନ୍ଦ୍ରମାଳ ଗ୍ରାମ ଯାଏଁ ୧.୭୫ କି.ମି. ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଜୋଜନାରେ ୧ କୋଟି ୧୩ ଲକ୍ଷ ୮ ହଜାର ୮୮୩ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଭବାନୀପାଟଣାର ଜନୈକ ଠିକାଦାର ନିତେଶ କୁମାର ଜୈନ ରାସ୍ତାଟି ନିର୍ମାଣ କରିଥିବା ବେଳେ ଗ୍ରାମର ଶେଷମୁଣ୍ଡ ଅର୍ଦ୍ଧେକ ଅଂଶ କେବଳ ପିଚୁ ହୋଇଥିବା ବେଳେ ଆରମ୍ଭରୁ ୫୦୦ ମିଟର ରାସ୍ତା କଚ୍ଚା ରାସ୍ତା ରହିଛି । ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅନୁଦାନରେ ନିର୍ମିତ ଏହି ରାସ୍ତାକାମ ତା.୨୩/୩/୨୦୧୮ ରେ ଆରମ୍ଭ ହୋଇଥିଲା । ଏହା ୨୨/୧/୨୦୨୦ ରେ ସମାପ୍ତ ହୋଇ ସାରିଥିବା କାର୍ଯ୍ୟସ୍ଥଳି ବୋର୍ଡରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ହେଲେ କିନ୍ତୁ ବାସ୍ତବରେ ରାସ୍ତା କାମ ସରିନି । ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ରାସ୍ତା ନିର୍ମାଣ ସରିଯାଇଥିବା ବେଳେ ଏବେ ବି ଅଞ୍ଚଳର ଲୋକେ କାଦୁଅ ପଚପଚ ରାସ୍ତାରେ ଦୟନୀୟ ଅବସ୍ଥାରେ ଚାଲୁଛନ୍ତି । ଗାଁ ଲୋକଙ୍କ ଦୁଃଖ ଘୁଞ୍ଚିନି । ଏହି ଅଧପନ୍ତରିଆ ରାସ୍ତା ବିଷୟରେ କେସିଙ୍ଗା ଆରଡି ଡିଭିଜନ ନିର୍ବାହୀ ଅଧିକାରୀଙ୍କ ମତାମତ ନେବାରୁ ସେ କହିଲେ ‘ଯେଉଁ ୩୫୦ ମିଟର ରାସ୍ତା ଖଣ୍ଡକ ନିର୍ମାଣ ନହୋଇ ବାକି ରହିଛି ତାହା ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମି । ଉକ୍ତ ଜମି ମାଲିକକୁ ଜମି ପ୍ରଦାନ କରିବା ନିମନ୍ତେ ବହୁତ ବୁଝାସୁଝା କରିବାରୁ ମଧ୍ୟ ସେ ମାନିଲେ ନାହିଁ । ଶେଷରେ ଉକ୍ତ ବ୍ୟକ୍ତି ଜଣକ ବିଭାଗ ବିରୁଦ୍ଧରେ କୋର୍ଟରେ କେସ ଦାଏର କଲେ । ଫଳରେ ରାସ୍ତା ଖଣ୍ଡକ ୩୫୦ ମିଟର ନିର୍ମିତ ନହୋଇ ପଡି ରହିଛି ।’ ଏଇଠି ସାଧାରଣରେ ପ୍ରଶ୍ନ ଉଠୁଛି । ଆରଡି ବିଭାଗ ରାସ୍ତା କାମ ଆରମ୍ଭ କରିବା ପୂର୍ବରୁ ରାସ୍ତା ଖଣ୍ଡିକ ବ୍ୟକ୍ତିଗତ ଜମି ଅଛି ବୋଲି ଜାଣିପାରିଲା ନାହିଁ କେମିତି? ଯୋଜନା ପ୍ରସ୍ତୁତିିି ସମୟରେ କାହିଁକି ଏହି ଦିଗ ଉପରେ ଧ୍ୟାନ ଦିଆଗଲା ନାହିଁ? କାହିଁକି ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରାଗଲା? ଏଥିପାଇଁ ଦାୟୀ କିଏ? ଏହା ଆରଡି ବିଭାଗର ଠିକାଦାର ପୋଷା ନୀତି ନୁହଁକି? ବିଭାଗୀୟ ଅଧିକାରୀଙ୍କ ଦାଇତ୍ୱ ହୀନତା ନୁହଁକି ବୋଲି ବୁଦ୍ଧିଜୀବି ମାନେ ପ୍ରଶ୍ନ କରିଛନ୍ତି ।