ଓଡ଼ିଆ ବାର୍ତ୍ତା /ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗ୍ରାମରେ ଶତାଧିକ ମହିଳା ଆନନ୍ଦ ଉଲ୍ଲାସର ସହ ଦୁତିବାହନ ଓଷା ବା ପୁଅଜିଉଁନ୍ତିଆ ପାଳନ କରିଛନ୍ତି | ପାରମ୍ପରିକ ରୀତି ନୀତି ଅନୁସାରେ ଶନିବାର ସନ୍ଧ୍ୟାରେ ସମସ୍ତ ମହିଳା ସମ୍ମିଳିତ ଭାବେ ଗାଁ ପୋଖରୀକୁ ଯାଇ ସେଠାରୁ ବାଲି କାଢି ବାଲି ପୂଜା କରିଥିଲେ | ସ୍ନାନ ସାରି ନବ ବସ୍ତ୍ର ପରିଧାନ କରି ଜିଉଁନ୍ତିଆ, ଖଇ ଜୁଗାର, ଦୁବ ପତ୍ର, ଫୁଲ, ଫଳ ଆଦି ପୂଜା ସାମଗ୍ରୀ ନେଇ ଗାଁ ମଝି ଦାଣ୍ଡରେ ସମସ୍ତେ ଏକାଠି ହୋଇ ଦୁତିବାହନଙ୍କ ପୂଜା ସହ ଦୁତି ବାହନ ଓଷା ବ୍ରତ ପୁରାଣ ପାଠ କରିଥିଲେ | ରବିବାର ଭୋରରୁ ପୋଖରୀରେ ସ୍ନାନ ସାରି ସେଠାରେ ପୂଜା କରିଥିଲେ | ସେଠାରୁ ଫେରି ଘରେ ପୁଅମାନଙ୍କ ଗଳାରେ ଜିଉଁନ୍ତିଆ ପିନ୍ଧାଇଥିଲେ | ସମସ୍ତ ମାଆ ଦିନସାରା ନିର୍ଜଳ ଉପବାସ ପୂର୍ବକ ନିଜ ପୁଅଙ୍କ ଦୀର୍ଘାୟୁ, ମଙ୍ଗଳ, ସମୃଦ୍ଧି କାମନା ପୂର୍ବକ ଠାକୁରଙ୍କ ପାଖରେ ପୂଜା ଓ ପ୍ରାର୍ଥନା କରିବା ଏହି ପର୍ବର ବିଶେଷତ୍ୱ | ଏହି ବ୍ରତର ପ୍ରମୁଖ ପବିତ୍ର ପ୍ରତୀକ ହେଉଛି ଜିଉଁନ୍ତିଆ ଯାହାକୁ ପୁଅମାନେ ଧାରଣ କରିଥାଆନ୍ତି | ଏହା ମାଆର ବାତ୍ସଲ୍ୟ ପ୍ରେମର ପ୍ରକୃଷ୍ଟ ନିଦର୍ଶନ |





