ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

୧୦ରୁ ୧୨ ଅକ୍ଟୋବର ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା; ୨୨ରେ ହେବ ଭସାଣି ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଗାମୀ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜାକୁ ବାଲେଶ୍ୱରରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ଲକ୍ଷ୍ୟରେ ଶନିବାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ ଶିବ ମାଲବ୍ୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିବ୍ୟଜ୍ୟୋତି ଦାଶ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରେଶ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ।

ବୈଠକରେ ଦୁର୍ଗାପୂଜା ସମୟରେ ଆଇନଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ଶୋଭାଯାତ୍ରାର ସୁପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପୂଜା କମିଟିଗୁଡ଼ିକୁ ସମସ୍ତ ନିର୍ଦ୍ଧାରିତ ନିୟମ ଓ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

ବିଶେଷକରି ଡିଜେ ଓ ଉଚ୍ଚ ଶବ୍ଦଯୁକ୍ତ ମାଇକ୍ ବ୍ୟବହାର ଉପରେ ନିର୍ଦ୍ଧାରିତ ନିୟମ ପାଳନ, ମେଢ଼ର ଉଚ୍ଚତା ସମ୍ପର୍କିତ ନିୟମ ମାନିବା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧ୍ୱନି ପରିବେଷଣ, ଉଚ୍ଚ ଶବ୍ଦଯୁକ୍ତ ବାଣ ବ୍ୟବହାର ନକରିବା, ଶୋଭାଯାତ୍ରା ସମୟରେ ଯାତାୟାତରେ ବାଧା ନସୃଷ୍ଟି କରିବା ଏବଂ ମଦ୍ୟପାନରୁ ଦୂରେଇ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂଜା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଥିଲା।

ପୂଜା ପାଇଁ ଆବଶ୍ୟକ ଅନୁମତି ଓ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅକ୍ଟୋବର ୧୦ରୁ ୧୨ ପର୍ଯ୍ୟନ୍ତ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ଶୋଭାଯାତ୍ରା ପାଇଁ ମଧ୍ୟ ପୂଜା କମିଟିଗୁଡ଼ିକ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି। ଅକ୍ଟୋବର ୨୨ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ବୈଠକରେ ଦୁର୍ଗାପୂଜା ଭାଇଚାରା, ସାମାଜିକ ଏକତା ଓ ସୌହାର୍ଦ୍ଦ୍ୟର ପର୍ବ ହୋଇଥିବାରୁ ସମସ୍ତେ ପରସ୍ପରର ଧାର୍ମିକ ଭାବନାକୁ ସମ୍ମାନ ଦେଇ ଶାନ୍ତିପୂର୍ଣ୍ଣ ଭାବେ ପୂଜା ପାଳନ କରିବାକୁ ଆହ୍ୱାନ କରାଯାଇଥିଲା। ପୂଜା କମିଟି, ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ଦୁର୍ଗାପୂଜା ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ, ଶାନ୍ତି କମିଟି ସଦସ୍ୟ, ବିଭିନ୍ନ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା, ଜନପ୍ରତିନିଧି, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.