‘ଆୟୁଷ ଡାଳରେ ଜୀବନ ଏକ ପକ୍ଷୀ ସଦୃଶ, ଜନ୍ମ ଆଉ ମୃତ୍ୟୁର ମଧ୍ୟବର୍ତ୍ତୀ ସମୟ ଆୟୁଷ’

ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଗୁରୁବାର ସଂଧ୍ୟାରେ (୧୭/୩) ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ଓ ପରିବାରର ବରିଷ୍ଠ ଉପଦେଷ୍ଟା ବିପିନ ବିହାରୀ ବାରିକଙ୍କର ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ପ୍ରବଚକ, ଆଲୋଚକ ପ୍ରଦୀପ୍ତ କୁମାର ମିଶ୍ରଙ୍କର ଦୀକ୍ଷାନ୍ତ ଆଲୋଚନା ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବିତୀୟ ଅଧ୍ୟାୟ, ସାଂଖ୍ୟଯୋଗର ଏକବିଂଶତମ ଶ୍ଲୋକରୁ ତ୍ରିଂଶତମ ଶ୍ଲୋକ ପର୍ଯ୍ୟନ୍ତ ଦଶଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ଶାନ୍ତି ପର୍ବରୁ ଅଶାନ୍ତି ନାଶ ହୁଏ, ଅଯୋଧ୍ୟା କାଣ୍ଡରୁ ଯୁଦ୍ଧ ନାଶ ହୁଏ । ଆତ୍ମା ଅଣୁ ସଦୃଶ, ଆତ୍ମା ର ମୃତ୍ୟୁ ନାହିଁ । ବିଷାଦରୁ ପ୍ରସାଦ ମିଳେ । ଆୟୁଷ ଡାଳରେ ଜୀବନ ଏକ ପକ୍ଷୀ ସଦୃଶ । ଜନ୍ମ ଆଉ ମୃତ୍ୟୁର ମଧ୍ୟବର୍ତ୍ତୀ ସମୟ ଆୟୁଷ । ସୁଶୁପ୍ତି, ଜାଗୃତି, ଅନ୍ବେଷା, ପ୍ରତିଷ୍ଠା ଉପରେ ମଣିଷ ଛିଡ଼ା ହୋଇଥାଏ । ଆତ୍ମାନୁସନ୍ଧିତ୍ସୁ ଜ୍ଞାନରୁ ଆତ୍ମଜ୍ଞାନ ଜାତ ହୁଏ । ଦେହାତ୍ମବୋଧ ପୂର୍ଣ୍ଣରୂପେ ଜାଗ୍ରତ ନହେଲେ ଆତ୍ମା ପରମାତ୍ମାଙ୍କୁ ପାଇ ପାରିବ ନାହିଁ ବୋଲି ପ୍ରବଚକ ମହାଶୟ ସାଙ୍ଖ୍ୟଯୋଗର ଦଶଟି ଶ୍ଲୋକର ମହତ୍ ବ୍ୟାଖ୍ୟାରେ ବର୍ଣ୍ଣନା କରିଥିଲେ । ମୁମ୍ବାଇର ସ୍ନେହ ମିଶ୍ର, କଟକରୁ ପ୍ରଭାତୀ ରଞ୍ଜନ ମହାନ୍ତି, ଯାଜପୁରରୁ ପ୍ରତିମା ଶତପଥୀ, କଟକରୁ ଗୀତାଞ୍ଜଳି ପୃଷ୍ଟି, ପ୍ରଫୁଲ୍ଲ କୁମାର ଦାସ ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇଥିଲେ । ସଂଯୁକ୍ତା ରାଉତ ସାଂଖ୍ୟଯୋଗର ଦଶଟି ଶ୍ଲୋକର ଚୁମ୍ବକରେ ସାରତତ୍ତ୍ଵ ବର୍ଣ୍ଣନା କରିଥିଲେ । ସଭାପତିଙ୍କ ଅନୁମୋଦନ କ୍ରମେ ଗୀତାରାଣୀ ପୁରୀ ଧନ୍ୟବାଦ ସହ ଶାନ୍ତିପାଠ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.