✒️ଜ୍ୟୋତ୍ସ୍ନା ରାଣୀ ଧଙ୍ଗଡାମାଝୀ
ମନ ଆକାଶର ନିଳିମାରେ ତୁମେ ସାତ ରଙ୍ଗି ଇନ୍ଦ୍ରଧନୁ ।
ତୁମ ବିରହରେ କେମିତି ବଞ୍ଚିବି ଭୁଲି ପାରୁ ନାହିଁ ମନୁ ।।
ବିରହ ବେଦନା କେତେ ଯେ ଗଭୀର ତୁମେ କି ପାରୁନ ମାପି ।
କେତେ ଆକୁଳରେ ଡାକୁଅଛି ମୁହିଁ, ମୁଁ ପରା ତୁମ ଗୋପି ।।
ତୁମ ପ୍ରୀତି ରଙ୍ଗ ଏତେ ଯେ ରଙ୍ଗିନ ଛାଡି ପାରୁ ନାହିଁ ସାଥି ।
ତୁମକୁ ଝୁରୁଛି ମୋ ମନ ମଇନା ସବୁ ଦିନ ସବୁ ରାତି ।।
ମଳୟ ପବନେ ଚହଲି ଉଠଇ ମୋର ମନ ବୃନ୍ଦାବନ ।
ଦୁଇ କାନେ ମୋର ଗୁଞ୍ଜରିତ ହୁଏ ତୁମ ପ୍ରୀତି ବଂଶୀ ସ୍ଵନ ।।
ମନ ଗୋପପୁର ମହକି ଉଠଇ ତୁମ ନାମ ସୁମରଣେ ।
କେଉଁଠି ଅଛହେ ମୋ କୃଷ୍ଣ କେଶବ ରାଧା ଖୋଜେ ସବୁ ସ୍ଥାନେ ।।
ଦେଖା ଦିଅ ଥରେ ଶ୍ରୀଧର ମାଧବ ଆଜି ଦୋଳ କାଲି ହୋଲି ।
ତୁମ ବିନା ମୋର ମନର ଝୁଲଣା, ପଡି ଅଛି ପରା ଖାଲି ।।