ନର୍ଲା ବ୍ଲକର ବ୍ଲକଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସ୍ତୁତି ବୈଠକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକଗ୍ରାଣ୍ଟ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ସମୁହର ଶିକ୍ଷକ କର୍ମଚାରୀମାନଙ୍କ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ବ୍ଲକର ୧୪ଟି ବ୍ଲକଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲର ୫୦ଜଣ ଶିକ୍ଷକ ଯୋଗଦେଇ ସରକାରଙ୍କ ଟାଳଟୁଳ ନୀତିକୁ ଘୋର ବିରୋଧ କରିଥିଲେ। ବାଗପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବ୍ଲକଗ୍ରାଣ୍ଟ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ନାର୍ଯ୍ୟ ସପ୍ତମ ବେତନ ତଥା ଅବସର କାଳୀନ ସୁବିଧା ସୂଯୋଗ ଦାବିରେ ଶିକ୍ଷକମାନେ ଗର୍ଜିଥିଲେ। ଅନୁପାତିକ ହାରରେ ସମସ୍ତ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ପିଇଟି, ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କ ଗ୍ରେଡପେ ବ୍ୟଷମ୍ୟ ଉଚ୍ଛେଦ, ଅବସରପ୍ରାପ୍ତ ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ତୁରନ୍ତ ପେନସନ ପ୍ରଦାନ ଭଳି ବିଭିନ୍ନ ଦାବି ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଆଗାମୀ ଡ଼ିସେମ୍ବର ୩ରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସଂଗଠନର ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଶିକ୍ଷକ କର୍ମୀଚାରୀମାନେ ଯୋଗ ଦେବାକୁ ବୈଠକରେ ଆହ୍ବାନ ଦିଆଯାଇଛି। ଏହାସହ ବ୍ଲକଗ୍ରାଣ୍ଟ ପ୍ରାପ୍ତ ମାଧ୍ୟମିକ ଶିକ୍ଷକ କର୍ମଚାରୀ ସଂଗଠନ ମାଧ୍ୟମରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବାକୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।
ବୈଠକରେ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଗଙ୍ଗାନାରାୟଣ ଦାଶ ଯୋଗଦେଇ ସଂଗଠନର ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ଆଲୋକପାତ କରିଥିଲେ। ନର୍ଲା ବ୍ଲକ ସାଧାରଣ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଗଠନର ଆହ୍ବାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବାସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଦିବଂଗତ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ ବାରିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ଜିଲ୍ଲା ସଂଯୋଜକ ବିନୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।