ଚତୁର୍ଥ ଶ୍ରେଣୀ ସରକାରୀ ମାନ୍ୟତା ସହ ମାସିକ ଦରମା ୯୯୩୦ଟଙ୍କା ପ୍ରଦାନ ଦାବି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ଆହ୍ୱାନରେ ଆଜି ରାୟଗଡା ଜିଲ୍ଳା ପାଚକ ପାଚିକା ସଂଘ ପକ୍ଷରୁ ମହାସଂଘର ୧୦ଦଫା ନେଇ ସ୍ଥାନୀୟ ଗାନ୍ଧୀ ପାର୍କ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ୧୦ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ଏପ୍ରିଲ ୧୭ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବା ସହିତ ଗଣଧାରଣା କରାଯିବା ନେଇ ସାମ୍ମୁଖ୍ୟର ମହାସଚିତ ତଥା କଟକ ମେୟର ସୁବାଷ ସିଂ ଓ ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଘୋଷଣା କରିବା ପରେ ଆଜି ରାୟଗଡା ଜିଲ୍ଳା ପାଚକ ପାଚିକା ସଂଘ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି ।
ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ରାଜ୍ୟ ଉପଦେଷ୍ଠା ନିରଂଜନ ପାତ୍ର, ପ୍ରମୋଦ ସାହୁକାର,ରାଜ୍ୟ ଉପସଭାନେତ୍ରୀ ଶାନ୍ତି ଲୋହରାଙ୍କ ସମେତ ରାୟଗଡା ଜିଲ୍ଳା ସଭାନେତ୍ରୀ ଭବାନୀ ପୁଲକା, ସଂପାଦିକା ଗୈାରୀ ବିଶ୍ୱାଳ,ଉପସଭାନେତ୍ରୀ ରୁକ୍ମଣୀ ପାତ୍ର, ସହ ସଂପାଦିକା ସୁଭଦ୍ରା ଦାସ ଓ କୋଷାଧ୍ୟକ୍ଷ ସୁଲ ଗନ୍ତାୟତ ଏବଂ ଶତାଧିକ ପାଚକ ପାଚିକାମାନେ ଏହି ବିକ୍ଷୋଭରେ ସାମିଲ ହୋଇ ନିଜର ହକ୍ ତଥା ନ୍ୟାର୍ଯ୍ୟ ଦାବିକୁ ନେଇ ସ୍ଳୋଗାନ ଦେଇଥିଲେ । ଦାବିଗୁଡିକ ମଧ୍ୟରେ ବିଦ୍ୟାଳୟ ଗୁଡିକରେ ପାଚକପାଚିକାମାନଙ୍କୁ ଏକକ ନିଯୁକ୍ତି ପାତ୍ର ଏବଂ ସରକାରୀ ମାନ୍ୟତା ପ୍ରଦାନ କରିବା ସହ ସର୍ବନିମ୍ନ ମଜୁରୀ ଦୈନିକ ୩୩୧ଟଙ୍କା ବାବଦରେ ମାସିକ ୯୯୩୦ଟଙ୍କା ଦରମା ଲାଗୁ କରିବା, ୨୦୧୮ମସିହା ଜାନୁଆରୀ ମାସ ଠାରୁ ବର୍ତମାନ ପ୍ରଚଳିତ ୨୦୦ଟଙ୍କା ବର୍ଦ୍ଧିତ ଦରମା ହାରରେ କେନ୍ଦ୍ର ସରକାର ଦେବାକୁ ଥିବା ପ୍ରତ୍ୟେକ ରୋଷେୟାକୁ ପ୍ରାୟ ୩୬ହଜାର ଟଙ୍କା ତୁରନ୍ତ ପୈଠ କରିବା, ପାଚକ ପାଚିକାଙ୍କୁ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦେବା, ଚିକିତ୍ସା ଭତା ସହତ ଜୀବନ ବୀମାର ସୁବିଧା କରିବା, ଏସଏମସି ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ବିଦ୍ୟାଳୟ ବିଭାଗ ସିଧାସଳଖ ନିୟନ୍ତଣରେ ରଖିବା,ଭବିଷ୍ୟତ ନିଧି ଯୋଜନାରେ ସାମିଲ କରିବା, ୬୦ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ୍ ଲାଗୁ କରିବା, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରିବା ଏବଂ ଖରା ଛୁଟିର ଦରମା ଦେବା ଭଳି ଦାବି ଉଲ୍ଳେଖ ରହିଛି ।
ବିଦ୍ୟାଳୟରେ ୮ଘଂଟା ସମୟରୁ ଅଧିକ ସମୟ ପାରିଶ୍ରମିକ ପରେ ମଧ୍ୟ ପାଚକ ପାଚିକାମାନେ ନିଜର ପରିବାର ଭରଣ ପୋଷଣ ତଥା ସର୍ବନିମ୍ନ ଭୋକ ମେଂଟାଇବାରେ ସକ୍ଷମ ହେଉନାହାନ୍ତି । ତେଣୁ ମହାଂସଘର ୧୦ଦଫା ଦାବି ପୂରଣ ନ ହେଲେ ଆସନ୍ତା ଏପ୍ରିଲ ୧୭ତାରିଖରେ ବିଧାନ ସଭା ସମ୍ମୁଖରେ ବିରାଟ ଧାରଣା ସମାବେଶ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।