ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ‘କବିତା ପଠନ କବିତା ଗଠନ’ କାର୍ଯ୍ୟକ୍ରମ

“କବିତା ରଚନା କରିବା ପରି ସମ ପରିମାଣରେ କବିତାର ଆବୃତ୍ତିକୁ ମଧ୍ୟ ଗୁରୁତ୍ବ ଦିଆଯିବା ଉଚିତ”

ବାଲେଶ୍ବର,୧୭/୧୦(କୃଷ୍ଣ କୁମାର ମହାନ୍ତି): କବିତା ଏକ କାଚର ଖେଳନା, ଯାହାକୁ ସତର୍କତାର ସହ ବ୍ୟବହାର କରିବାକୁ ପଡେ଼। ଦ୍ରୌପଦୀଙ୍କ ସ୍ବୟମ୍ବରରେ ଅର୍ଜ୍ଜୁନ ଯେଉଁ ଶୈଳୀରେ ଲାଖ ବିନ୍ଧିଥିଲେ, ସେହିପରି ଏକାଗ୍ରତା ନେଇ କବିକୁ କବିତା ରଚନା କରିବାକୁ ପଡ଼ିଥାଏ। ବ୍ୟଞ୍ଜନ ପ୍ରସ୍ତୁତ କରିବା ବେଳେ ରାନ୍ଧୁଣିଆ ଯେମିତି ଯଥୋଚିତ ପରିମାଣରେ ଦ୍ରବ୍ୟ ଓ ମସଲା ପକାଇ ବ୍ୟଞ୍ଜନକୁ ସ୍ବାଦଯୁକ୍ତ କରିଥାଏ ସେହିପରି କବି ମଧ୍ୟ ଶବ୍ଦ ଓ ଭାଷାରେ କବିତାକୁ ପରିପୁଷ୍ଟ କରି ପାଠକଙ୍କୁ ସମର୍ପିବାକୁ ଚେଷ୍ଟା କରେ। କବିତା ରଚନା କରିବା ପରି ସମ ପରିମାଣରେ କବିତାର ଆବୃତ୍ତିକୁ ମଧ୍ୟ ଗୁରୁତ୍ବ ଦିଆଯିବା ଉଚିତ ବୋଲି ଶାନ୍ତିନିକେତନର ପ୍ରଫେସର‌୍‌ କବି ଗିରିବାଳା ମହାନ୍ତି ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ଆୟୋଜିତ ‘କବିତା ପଠନ କବିତା ଗଠନ’ ଶୀର୍ଷକ ଏକ କବିତା କର୍ମଶାଳାର ଅୟମାରମ୍ଭ କରି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଅନୁଷ୍ଠାନର ପଢ଼ୁଆଁପଦା ସ୍ଥିତ କାର୍ଯ୍ୟାଳୟ ‘ବିନ୍ଦୁବଳୟ’ ଭବନ ଠାରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସୁବ୍ରତା ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ। ସଂଗଠନ ସମ୍ପାଦକ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଚାରିଗୋଟି କବିତାର ସଂଯୋଜନା କରିଥିଲେ।

କବି ପ୍ରୀତିଲେଖା ଦାସ, ଜ୍ୟୋତ୍ସ୍ନା ରାୟ, ଡା. ଅଭିମନ୍ୟୁ କାନୁନ୍‌ଗୋ ଓ ଦୀପକ ବୋଷ୍‌ଙ୍କ ଦ୍ବାରା ପଠିତ କବିତାଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପାଠକମାନଙ୍କର ପ୍ରଶ୍ନର ଉତ୍ତର ଦେଇ କବିମାନେ ନିଜ କବିତାର ଶୈଳୀ ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ପଠିତ କବିତାଗୁଡ଼ିକର ଆଲୋଚନା କରି ସେଥିରେ ଥିବା ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସଠିକ୍‌ ଭାବରେ ଆବୃତ୍ତି କରିବା ଉପରେ ଗୁରୁତ୍ବ ଦେଇଥିଲେ।

ଏହି କର୍ମଶାଳାରେ ପ୍ରଦୀପ କୁମାର ଚାଟ୍ଟାର୍ଜୀ, ଶରତ କୁମାର ମହାପାତ୍ର, ଅଞ୍ଜଳି ପଣ୍ତା, ସୁଶ୍ରୀ ଅରୁଣା ରାୟ, କଲ୍ୟାଣୀ ନନ୍ଦ, ସ˚ସ୍କୃତଜ୍ଞ ସଞ୍ଜୟ ପଣ୍ତା, ରମାକାନ୍ତ ମହାନ୍ତି ପ୍ରମୁଖ କବିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଶୀତିକଣ୍ଠ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ।

ସାରା ବିଶ୍ବର ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.