ବାତ୍ୟା ‘ଅକାୱାନ୍’ ମୁକାବିଲା ପାଇଁ ବିଜେଡିର ତତ୍ପରତା: ନବୀନଙ୍କ ନିର୍ଦ୍ଦେଶରେ ସୁଦାମ ମାର୍ଣ୍ଡିଙ୍କୁ ବାଲେଶ୍ୱର ଦାୟିତ୍ୱ, ଫସଲ କ୍ଷୟକ୍ଷତି ଆକଳନ ସହ ୫ ଦଫା ଦାବି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସମ୍ଭାବ୍ୟ ବାତ୍ୟା ‘ଅକାୱାନ୍’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାରେ ଆଗୁଆ ପ୍ରସ୍ତୁତି ଏବଂ ଜନସାଧାରଣଙ୍କ ସୁରକ୍ଷା ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାତ୍ୟା ଓ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ସ୍ଥିତିର ସମୀକ୍ଷା ପାଇଁ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନ ୧ଟାରେ ବାଲେଶ୍ୱର ସର୍କିଟ ହାଉସ ଠାରେ ସୁଦାମ ମାର୍ଣ୍ଡି, ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏକ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆଇଏଏସ୍ ଏବଂ ଜିଲ୍ଲାପାଳଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ନେଇ ସମୀକ୍ଷା ଓ ଆଲୋଚନା କରିଛନ୍ତି।ଏଥିସହ ବିଜେଡି ପକ୍ଷରୁ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଜିଲ୍ଲାବାସୀଙ୍କ ସୁରକ୍ଷା ଓ ଜୀବନଜୀବିକା ପ୍ରତି ଉଦ୍‌ବେଗ ପ୍ରକାଶ କରିବା ସହ ପାଞ୍ଚଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି।

ବିପଦସଙ୍କୁଳ ଅଞ୍ଚଳରେ ଚାଉଳ, ଗହମ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ଓ ସମୟୋଚିତ ବଣ୍ଟନ, ନିର୍ଦ୍ଧାରିତ ବଣ୍ଟନ କେନ୍ଦ୍ର ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ଯଥେଷ୍ଟ ଖାଦ୍ୟଶସ୍ୟ ରଖିବା, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ରାସ୍ତାଘାଟ ବିଚ୍ଛିନ୍ନ ହେଲେ ମଧ୍ୟ ଖାଦ୍ୟ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ପ୍ରଭାବିତ ପରିବାରଙ୍କୁ ବିଳମ୍ବ ନକରି ଖାଦ୍ୟ ସହାୟତା ପ୍ରଦାନ ଏବଂ ରିଲିଫ୍ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ ପାଇଁ ଦଳୀୟ କର୍ମୀ ଓ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବା ନିମନ୍ତେ ସ୍ମାରକପତ୍ରରେ ଦାବି କରାଯାଇଛି।

ଅନ୍ୟପକ୍ଷରେ, ବାତ୍ୟା ଯୋଗୁଁ ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ସ୍ମାରକପତ୍ରରେ ହାତଲେଖା ଅତିରିକ୍ତ ଟିପ୍ପଣୀ ମାଧ୍ୟମରେ ଦାବି ରଖାଯାଇଛି। ଏହାଦ୍ୱାରା ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ଥିତି ଆକଳନ ଓ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଆଗୁଆ ପଦକ୍ଷେପ ନେବା ସମ୍ଭବ ହେବ ବୋଲି ଦଳ ମତ ରଖିଛି।

ସ୍ମାରକପତ୍ରରେ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ପଦକ୍ଷେପ କୌଣସି ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ, ବରଂ ସମ୍ପୂର୍ଣ୍ଣ ମାନବିକ ଓ ଜନକଲ୍ୟାଣମୂଳକ। ବିପତ୍ତି ସମୟରେ ରାଜନୈତିକ ମତପାର୍ଥକ୍ୟକୁ ପଛରେ ପକାଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଦଳ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ଜୀବନ ରକ୍ଷା, ଖାଦ୍ୟ ସୁରକ୍ଷା ଓ ବିପତ୍ତି ସମୟରେ ଲୋକଙ୍କ ପାଖରେ ଛିଡ଼ା ହେବା ହିଁ ସାମୂହିକ ପ୍ରାଥମିକତା ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.