୭,୬୫୦ ଲିଟର ମଦ ପୋଚ ଓ ୨,୦୯୩ ଲିଟର ଦେଶୀ ମଦ ଜବତ; ୩ ଗିରଫ, ୨ ଫେରାର
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ଗୋଟିଏ ଦିନରେ ଦୁଇଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ଉ କରି ୭,୬୫୦ ଲିଟର ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପୋଚ (ଏଫ୍ଏମ୍ ୱାସ୍) ଏବଂ ୨,୦୯୩ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ଭାଟି, ଡିଷ୍ଟିଲେସନ୍ ଯନ୍ତ୍ରପାତି ଓ ବିପୁଳ ପରିମାଣର କଞ୍ଚାମାଲ ନଷ୍ଟ କରାଯାଇଛି। ଜବତ ଓ ନଷ୍ଟ ସାମଗ୍ରୀର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ୫ଟି ମାମଲା ରୁଜୁ ହୋଇଥିବାବେଳେ ୩ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଚଢ଼ଉ ସମୟରେ ଫେରାର ହୋଇଯାଇଛନ୍ତି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ବସ୍ତା ଥାନା ଅଧୀନ ରାଜଘାଟ ଏବଂ ରାଇବଣିଆ ଥାନା ଅଧୀନ ବାଘବୁଢ଼ା ଓ କବାଟାଘାଟି ଗ୍ରାମରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏହି ଅଞ୍ଚଳଗୁଡ଼ିକରେ ଦୀର୍ଘଦିନ ଧରି ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବା ସୂଚନା ପାଇ ଅବକାରୀ ଟିମ୍ ଏହି ଅଭିଯାନ ଆରମ୍ଭ କରିଥିଲା। ଚଢ଼ଉ ସମୟରେ ବିଭିନ୍ନ ସ୍ଥାନରୁ ୭,୬୫୦ ଲିଟର ଏଫ୍ଏମ୍ ୱାସ୍ ଓ ୨,୦୯୩ ଲିଟର ଦେଶୀ ମଦ ଜବତ ହୋଇଥିଲା। ଏଥିସହ ମଦ ରାନ୍ଧିବା ପାଇଁ ବ୍ୟବହୃତ ଭାଟି, ଡିଷ୍ଟିଲେସନ୍ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରାଯାଇଥିଲା। ବେଆଇନ ମଦ ପ୍ରସ୍ତୁତିର ମୂଳ ଉତ୍ସକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏସବୁ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ଏହି ଅଭିଯାନରେ ରାଇବଣିଆ ଥାନା ଅଞ୍ଚଳର କବାଟାଘାଟି ଗ୍ରାମର ଗମ୍ଭା ହାଁସଦା, ଭଦ୍ରପଡ଼ା ଗ୍ରାମର ସାଲେ ଟୁଡୁ ଏବଂ ଗୋହିରାବନ୍ଧ ଗ୍ରାମର ଡଲି ଟୁଡୁଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ, ଚଢ଼ଉ ସମୟରେ ଆଉ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଓ ଉଦ୍ୟମ ଜାରି ରହିଛି।
ଏହି ମିଳିତ ଅଭିଯାନରେ ବାଲେଶ୍ୱର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ର ଆଇଆଇସି ଅଭିରାମ ସାହୁଙ୍କ ନେତୃତ୍ୱରେ ତାଙ୍କ ଟିମ୍, ଜଳେଶ୍ୱର ସାଟେଲାଇଟ୍ ୟୁନିଟ୍ର ଆଇଆଇସି ଲକ୍ଷ୍ୟ ସାଧବ ପ୍ରଧାନ ଓ ତାଙ୍କ ଟିମ୍ ଏବଂ ଜଳେଶ୍ୱର ଓଆଇସି ଭବେଶ କୁମାର ନାଏକଙ୍କ ସମେତ ଅବକାରୀ ଥାନାର କର୍ମଚାରୀମାନେ ସାମିଲ ହୋଇଥିଲେ।
ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି କେନ୍ଦ୍ର ଓ ଚୋରା ମଦ କାରବାର ବିରୋଧରେ ଆଗକୁ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ମୋବାଇଲ ୟୁନିଟ୍ର ଆଇଆଇସି ଅଭିରାମ ସାହୁ ପ୍ରକାଶ କରିଛନ୍ତି।





