ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ନର୍ଲାରେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଅଗଷ୍ଟ ୯ରେ ଦୁନିଆ ସାରା ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ । ଏହି ଦିବସ ପାଳନ ପାଇଁ କଳାହାଣ୍ଡି ଜିଲ୍ଲାର ଆଦିବାସୀ ସଦସ୍ୟ ମାନଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଗତବର୍ଷ ୨୦୨୨ ରେ ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ଧର୍ମଗଡ ବ୍ଲକରେ ପାଳିତ ହୋଇଥିଲା । ଚଲିତ ବର୍ଷ ଅଗଷ୍ଟ ୯ରେ ଆଦିବାସୀଙ୍କ ଏହି  ଦିବସ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନର୍ଲାରେ ପାଳିତ ହେବ ବୋଲି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏବେ ବର୍ଷାଦିନ ହୋଇଥିବାରୁ ଏବଂ ଲଘୁଚାପ ଜନିତ ବର୍ଷା ଲାଗିରହୁଥିବାରୁ ଜିଲ୍ଲା ସ୍ତରିୟ ଏତେବଡ ଉତ୍ସବ ପାଳନ ପାଇଁ ଚିନ୍ତାରେ ରହିଛନ୍ତି ଆୟୋଜକ ମଣ୍ଡଳୀ । ଏନେଇ ଆଜି ସୋମବାର ଆଦିବାସୀ ସଂଘ ଜିଲ୍ଲା ସଭାପତି ପ୍ରକାଶ ଭୋଇଙ୍କ ଅଧ୍ୟକ୍ଷତାରେ ନର୍ଲା ଦୁର୍ଗାମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜିଲ୍ଲା ପରିହଦ ସଦସ୍ୟ ହରିଶଙ୍କର ମାଝୀ, ବରିଷ୍ଠ କର୍ମକର୍ତ୍ତା ବୀରକିଶୋର ମାଝୀ, ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ଦେବରାଜ ମାଝୀଙ୍କ ସମେତ ୧୫ ରୁ ଉର୍ଦ୍ଧ୍ୱ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଆସନ୍ତା ଅଗଷ୍ଟ ୯ ରେ କିଭଳି ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ ପାଳନ କରାଯାଇପାରିବ । ବର୍ଷା ଦିନ ଯୋଗୁଁ ମିଟିଂ ସ୍ଥଳ ନିରୁପଣରେ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ନର୍ଲା ଦୁର୍ଗା ମଣ୍ଡପରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ କିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.