ନର୍ଲାରେ ବିଧାୟକ ଭୁପିନ୍ଦର ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ

କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କଲା ଯୁବ କଂଗ୍ରେସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଧାୟକ ଭୁପିନ୍ଦର ସିଂଙ୍କ ନିଜ ନିର୍ବାଚନ ମଣ୍ଡଳୀ ନର୍ଲାରେ ତାଙ୍କ ଗାଡ଼ି ଉପରେ ଅଣ୍ଡାମାଡ ହୋଇଛି। ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ପୋଲିସର ଉପସ୍ଥିତିରେ ଦୁଇ ନେତାଙ୍କ ଗାଡ଼ି ଉପରେ ଅଣ୍ଡା ବୃଷ୍ଟି କରିଛନ୍ତି ନର୍ଲା ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ କର୍ମୀ। ଆଜି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ଭବନ ପରିସରରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳ ସଚୀବ ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, କଳାହାଣ୍ଡି ଡିଇଓ ସୁଶାନ୍ତ କୁମାର ଚୋପଦାର, ନର୍ଲା ବିଇଓ ତପିମଣି ଜାନି ପ୍ରମୁଖ ଅତିଥି ଭାବେ ଆସି ପହଞ୍ଚିଥିଲେ। ପ୍ରଥମେ ନର୍ଲା ବିଧାୟକଙ୍କ ଗାଡ଼ି ଉତ୍ସବ ସ୍ଥଳ ନିକଟବର୍ତ୍ତୀ ହୋଇଥିଲା। ନର୍ଲା ବିଧାୟକଙ୍କୁ ପାଛୋଟି ଆଣିବା ପାଇଁ ଶିକ୍ଷକ ସଂଘର ସଦସ୍ୟମାନେ ଯିବା ସମୟରେ ତାଙ୍କ ଗାଡ଼ି ଉପରେ ଅଣ୍ଡାମାଡ ହୋଇଥିଲା। ଏହାପରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଆସି ପହଞ୍ଚିଥିଲା। ଏହି ସମୟରେ ମଧ୍ୟ ଯୁବ କଂଗ୍ରେସ ଅଣ୍ଡା ଓ କାଦୁଅ ମାଡ଼ କରିବାସହ କଳା ପତାକା ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ କରିଥିବା ଯୁବକମାନେ କହିଛନ୍ତି ‘ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ହେଉଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ତାଙ୍କୁ ଗୁରୁଦିବସ ପରି ପବିତ୍ର ଦିବସରେ ତାଙ୍କୁ ଆମନ୍ତ୍ରିତ କରିବା ଠିକ୍ ହୋଇନାହିଁ। ତେଣୁ ବିରୋଧ ପ୍ରଦର୍ଶନ କରାଯାଇଛି। ତେବେ ଗୁରୁ ଦିବସ ପରି ଏକ ପବିତ୍ର ଦିବସରେ ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କୁ ଏପରି ଅଣ୍ଡାମାଡ କରିବା ଶୋଭନୀୟ ନୁହଁ ବୋଲି କହିବାସହ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.