ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାର୍ଥା ଶ୍ରୀପଞ୍ଚମୀ ପଡ଼ିଆରେ ୧୩ତମ ସାବିତ୍ରୀ ମେଧାବୃତ୍ତି ସମ୍ମାନ ସମାରୋହ ରବିବାର, ୧୫ ନଭେମ୍ବର ୨୦୨୬ରେ ଅନୁଷ୍ଠିତ ହୋଇଯାଇଛି। ସାଧୁ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ମହାନ୍ତି ମୁଖ୍ୟ ଅତିଥି ଏବଂ କମଳଲୋଚନ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପରେଶ ଚନ୍ଦ୍ର ବେହେରା ଓ କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।
ସମାରୋହର ଆୟୋଜକ ଇଂ. ଚନ୍ଦ୍ରକାନ୍ତ ନନ୍ଦ ଛାତ୍ରଛାତ୍ରୀଙ୍କୁ ନିଜ ଉପରେ ଆତ୍ମବିଶ୍ୱାସ ରଖିବା, ନିଷ୍ଠାର ସହ ପରିଶ୍ରମ କରିବା ଏବଂ ଜୀବନରେ କେବେ ହାର ନମାନିବାକୁ ପରାମର୍ଶ ଦେଇଥିଲେ। ଆୟୋଜକଙ୍କ ସହ ସାବିତ୍ରୀ ନନ୍ଦ, ସ୍ନିଗ୍ଧାରାଣୀ, କର୍ତ୍ତବ୍ୟ, ଜିଜ୍ଞାସା, ଜ୍ୟୋତି ଓ ଶୁଭ୍ରକାନ୍ତ ସମାରୋହରେ ଉପସ୍ଥିତ ଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଦିବ୍ୟଦର୍ଶନୀ ବେହେରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ମେଧାବୃତ୍ତି ସମାରୋହରେ ୭୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଦୁବଲାଗଡ଼ିସ୍ଥିତ ୟୁନିୟନ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଭବାନୀଶଙ୍କର ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ୨୨ ହଜାର ଟଙ୍କାର ପୁରସ୍କାର ଲାଭ କରିଥିଲେ। ବାଲେଶ୍ୱର ଟାଉନ ହାଇସ୍କୁଲର ସୌମ୍ୟରଞ୍ଜନ ଜେନା ଦ୍ୱିତୀୟ ସ୍ଥାନ ହାସଲ କରି ୨୦ ହଜାର ଟଙ୍କା ପାଇଥିବା ବେଳେ ୟୁନିୟନ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ତନ୍ମୟ ସାହୁ ତୃତୀୟ ସ୍ଥାନ ଅଧିକାର କରି ୧୭ ହଜାର ଟଙ୍କାର ପୁରସ୍କାର ପାଇଥିଲେ। ଏହାବ୍ୟତୀତ ଅନ୍ୟ ୧୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନସୂଚକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା।





