ଦୈନିକ ‘ଅପରାହ୍ନ’ ଆୟୋଜନ କଲା ଦିଲ୍ଲୀରେ ଓଡ଼ିଆ ସାହିତ୍ୟର ମହାକୁମ୍ଭ: ୮ ପୁସ୍ତକ ଉନ୍ମୋଚିତ, ପ୍ରତିଭା ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଅପରାହ୍ନ’ ପକ୍ଷରୁ ଦେଶର ରାଜଧାନୀ ଦିଲ୍ଲୀ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଭବ୍ୟ ଉତ୍ସବ ବେଶ୍ ଆଗ୍ରହ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀ ହାଉସ୍ ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ଆୟୋଜିତ ‘ଅପରାହ୍ନ ଦିଲ୍ଲୀ ଉତ୍ସବ-୨୦୨୬’ରେ ୮ଟି ପୁସ୍ତକ ଉନ୍ମୋଚିତ ହେବା ସହିତ ସାହିତ୍ୟ, କଳା ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ବହୁ ପ୍ରତିଭା ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କୁ ‘ଅପରାହ୍ନ’ର ଜାତୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଥିଲା।

ଦୈନିକ ‘ଅପରାହ୍ନ’, ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଓ ‘ଅପରାହ୍ନ ଦିଲ୍ଲୀ ସାରସ୍ୱତ ସମ୍ଭାର’ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦ ଜଣ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଶତାଧିକ ପ୍ରବାସୀ ଓଡ଼ିଆ ସାହିତ୍ୟିକ, କବି, ଗବେଷକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ। ଡ. ଗଗନ ଚନ୍ଦ୍ର ଦେଙ୍କ ବେଦମନ୍ତ୍ର ଓ ଜଗନ୍ନାଥ ସ୍ତୋତ୍ର ପାଠ ପରେ ଉତ୍ସବ ଆରମ୍ଭ ହୋଇଥିଲା। ଡା. ଅନିତା ପଣ୍ଡାଙ୍କ ଉଦ୍‌ବୋଧନ, ବାବାଜୀ ଚରଣ ଦାସଙ୍କ ମୁଖ୍ୟ ଅତିଥିତ୍ୱ ଓ ପ୍ରହ୍ଲାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଡ. ସବିତା ଶତପଥୀଙ୍କ ସଂଯୋଜନାରେ ପ୍ରାୟ ୩୦ ଜଣ କବି ଓ କବୟିତ୍ରୀ ସମସାମୟିକ ସମାଜର ବିଭିନ୍ନ ସମସ୍ୟାକୁ କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର, କିଶୋର ଦ୍ୱିବେଦୀ, ଡା. ଅନିତା ପଣ୍ଡା, ଡ. ମନୋରଞ୍ଜନ ମହାନ୍ତି, ରବି ରାୟ ଓ ନିତ୍ୟାନନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା ଅଧ୍ୟକ୍ଷତା କରିଥିଲେ। ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆର ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦାସଙ୍କ ଜଗନ୍ନାଥ ଭଜନ ପରିବେଷଣ ପରିବେଶକୁ ଭାବମୟ କରିଥିଲା। ନୂତନ ଦାୟିତ୍ୱ ଗ୍ରହଣ କରି କିଶୋର ଦ୍ୱିବେଦୀ ‘ଅପରାହ୍ନ’ର କାର୍ଯ୍ୟକ୍ରମକୁ ବିଦେଶରେ ମଧ୍ୟ ପରିବ୍ୟାପ୍ତ କରିବାକୁ ଉଦ୍ୟମ କରିବେ ବୋଲି କହିଥିଲେ। ଡ. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରବାସୀ ଓଡ଼ିଆ ସଂଗଠନରେ ସକ୍ରିୟ ଯୋଗଦାନ ପାଇଁ ଆହ୍ୱାନ ଦେଇଥିଲେ।

ଉତ୍ସବରେ ଡ. ମନୋରଞ୍ଜନ ମହାନ୍ତି, ରବୀନ୍ଦ୍ର ପ୍ରଧାନ, ଡା. ଅନିତା ପଣ୍ଡା, ଡ. ସତ୍ୟ ସୁନ୍ଦର ସାମନ୍ତ, କାବେରୀ ବେହେରା, ସଞ୍ଜୀବ କୁମାର ପଣ୍ଡା, ମୀନାକ୍ଷୀ ଦ୍ୱିବେଦୀ, ଅମରନାଥ ବାରିକ, ଉମାକାନ୍ତ ଦାସ, ଲିପ୍ସା ପଟ୍ଟନାୟକ ମହାନ୍ତି, ବାବାଜୀ ଚରଣ ଦାସ, ବସନ୍ତ କୁମାର ପଣ୍ଡା, ରବି ରାୟ, ମୀନତୀ ପ୍ରଧାନ ଓ ଶୁଭମ୍ ଶାଶ୍ୱତ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ପ୍ରକାଶିତ ୮ଟି ପୁସ୍ତକ ମଧ୍ୟରେ ବାବାଜୀ ଚରଣ ଦାସଙ୍କ ‘ଓଡ଼ିଆ ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା’, ପ୍ରହ୍ଲାଦ ସାହୁଙ୍କ ‘ଶବ୍ଦ କୈବଲ୍ୟ ନିଧି’, ମୀନାକ୍ଷୀ ଦ୍ୱିବେଦୀଙ୍କ ‘ଅକ୍ଷର ଅର୍ଚ୍ଚନା’, କଳ୍ପନା କୁମାରୀ ପ୍ରଧାନଙ୍କ ‘ବିଦଗ୍ଧାର ଲୁହ’, ଡ. ଗଗନ ଚନ୍ଦ୍ର ଦେଙ୍କ ‘କବିତା କଲ୍ଲୋଳିନୀ’, ବିନୟ ସାମଲଙ୍କ ‘ପାର୍ବଣ ସୁରଭି’, ଶ୍ରୀକାନ୍ତ ମହାଳିକଙ୍କ ‘ଆମେ ଓ ଆମ ସମାଜ’ ଏବଂ ଡ. ସତ୍ୟ ସୁନ୍ଦର ସାମନ୍ତଙ୍କ ଇଂରାଜୀ କାବ୍ୟଗ୍ରନ୍ଥ ‘ଭୋଏସ୍ ଅଫ୍ ଆର୍ଥ’ ଏବଂ ‘ଏନଭାୟାରମେଣ୍ଟ୍ ଟ୍ରାଇବ୍ସ’ ରହିଛି। ଏହି ଅବସରରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ବଲାଙ୍ଗୀର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ପଶ୍ଚିମବଙ୍ଗ ଓ ବେଙ୍ଗାଲୁରୁର ସଂଯୋଜକ/ସଂଯୋଜିକାମାନଙ୍କୁ ‘ସୃଜନଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଅତିଥି ଓ ସାରସ୍ୱତ ସାଧକମାନେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ। ୨୦୨୪ରେ ପୁରୀରୁ ଆରମ୍ଭ ହୋଇଥିବା ଅପରାହ୍ନ ସାରସ୍ୱତ ମହୋତ୍ସବ ଦିଲ୍ଲୀରେ ପହଞ୍ଚିବା ଓଡ଼ିଆ ଭାଷା-ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ବକ୍ତାମାନେ ମତ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.