ଜାତୀୟ ପ୍ରେସ ଦିବସରେ ଗଠିତ ହେଲା ଜର୍ଣ୍ଣାଲିଷ୍ଟ ୟୁନିଅନ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ଜାତୀୟ ପ୍ରେସ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲସ୍ଥିତ ସୋମେଶ୍ୱର ବାବାଙ୍କ ପୀଠରେ ନୂତନ ଭାବେ ବଙ୍ଗୋମୁଣ୍ଡା ଜର୍ଣ୍ଣାଲିଷ୍ଟ ୟୁନିଅନ ଗଠନ କରାଯିବା ସହ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଅତିଥି ଓ ସଂଘର ସଦସ୍ୟମାନେ ସୋମେଶ୍ୱର ବାବାଙ୍କ ଦର୍ଶନ କରିଥିଲେ। ପରେ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ମାନିତ କରାଯିବା ସହ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବଙ୍ଗୋମୁଣ୍ଡା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବଦତ୍ତ ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମାଜିକ କର୍ମୀ ଥବିର ଚନ୍ଦ୍ର ବାଗ ଓ ହରିଶ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ. ନାରାୟଣ ମିଶ୍ର ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ, ସାମ୍ବାଦିକମାନଙ୍କ ଦାୟିତ୍ୱ ଓ ସମାଜ ପ୍ରତି ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ କେକ୍ କାଟି ସାମ୍ବାଦିକମାନେ ଉତ୍ସାହ ଓ ଆନନ୍ଦର ସହ ଦିବସଟିକୁ ପାଳନ କରିଥିଲେ। ବଙ୍ଗୋମୁଣ୍ଡା ଅଞ୍ଚଳର ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ସାମ୍ବାଦିକତାର ସ୍ୱାର୍ଥ ରକ୍ଷା କରିବା ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଜର୍ଣ୍ଣାଲିଷ୍ଟ ୟୁନିଅନ ଗଠନ କରାଯାଇଥିଲା। ଏଥିରେ ଅନିଲ କୁମାର ଖମାରିଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅତିଥି ଓ ସଂଘର ସଦସ୍ୟମାନେ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ନୂତନ ଭାବେ ଗଠିତ ଏହି ସଂଘ ଆଗାମୀ ଦିନରେ ସାମ୍ବାଦିକମାନଙ୍କ ଅଧିକାର ଓ ସୁରକ୍ଷା ସହ ଜନସାଧାରଣଙ୍କ ସମସ୍ୟା ଓ ସ୍ୱରକୁ ଶାଣିତ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଝସକେତନ ନାଗ, ବଂଶୀଧର ବେହେରା, ତ୍ରିନାଥ ସାହୁ, ଅନନ୍ତ ବାଗ, ବିଶ୍ୱରଞ୍ଜନ ହୋତା, ଅମରେନ୍ଦ୍ର ନନ୍ଦ, ନରେଶ ବେହେରା,ନିତ୍ୟାନନ୍ଦ ବେହେରା,ରୁକ୍ଷ ରାଜ ରଣା, ମହିଳା ଠେଲାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.