ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଚୀନ ଅଭିଚାର ତନ୍ତ୍ରଧାରା ର ଏକ ଶକ୍ତିଶାଳୀ ଦେବୀ ହେଉଛନ୍ତି ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ । ପ୍ରତ୍ୟକ୍ଷ ଦେବୀ ଭାବେ ସେ ଅଂଚଳର ଜନମାନସରେ ପୂଜିତ । ଦେବୀ ମନୋସ୍କାମନା ପୂରଣ କରୁଥିବାରୁ ତାଙ୍କ ପାଖକୁ ଦୁଃଖ ଜଣାଇବାକୁ ଛୁଟି ଆସିଥାଏ ଭକ୍ତ।ଏଭଳି ଏକ ଆଦିବାସୀ ପରମ୍ପରା ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ସିମାନ୍ତ ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ଅଠରନଳା ଘାଟି ଠାରେ ପୂଜା ପାଉଛନ୍ତି ଦେବୀ । ଡ଼ଙ୍ଗର ଯାତ୍ରା ହେଉଛି ମା” ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଦେବୀଙ୍କ ପ୍ରସିଦ୍ଧ ପର୍ବ। ପ୍ରତିବର୍ଷ ଶ୍ରାବଣ ପୂର୍ଣିମାର ପରବର୍ତୀ ମଙ୍ଗଳବାର ଦିନ ଏହି ଯାତ୍ରା ପାଳିତ ହୋଇଥାଏ । ବିଶ୍ବାସ ରହିଛି ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଭଲ ଚାଷବାସ ହୋଇଥାଏ ।ଏମିତିକି ଦେବୀଙ୍କ ରାସ୍ତାଦେଇ ଗମନା ଗମନ କରୁଥିବା ପଥିକ ମାନଙ୍କୁ ମଧ୍ଯ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।ଗ୍ରାମବାସୀ ମାନେ ମିଳିତଭାବେ କାଳିସୀ ଓ ପୁଝାରୀଙ୍କ ଗହଣରେ ଗୋତୋମୁଣ୍ଡା ଗ୍ରାମରୁ ପ୍ରାୟ ୩କିମି ରାସ୍ତା ଚାଲିଚାଲି ଲାଠି ଯାତ୍ରାରେ ବାହାରିଥାନ୍ତି । ଦେବୀଙ୍କ ଆସ୍ଥାନରେ ପହଞ୍ଚିବା ପରେ ପାରମ୍ପାରିକ ବିଧି ବିଧାନ ଅନୁକ୍ରମେ ପୂଜାର୍ଚ୍ଚନା କରାଯାଇଥାଏ। ମା’ ଙ୍କ ନିକଟରେ ଶୁକ୍ଳଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ କରିଥାନ୍ତି । ଏବର୍ଷ ମଧ୍ୟ ଭକ୍ତମାନଙ୍କ ଗହଣରେ ବିଜେ କରିଛନ୍ତି ଦେବୀ ଘାଟି ମୁଣ୍ଡିଆଣୀ ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ଦେବୀଙ୍କ ପୀଠ।ଏହି ଡ଼ଙ୍ଗର ଯାତ୍ରାରେ କଳାହାଣ୍ଡି ସମେତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ବସ୍ତର ଅଞ୍ଚଳରୁ ଶହଶହ ଶ୍ରଦ୍ଧାଳୁ ଆସି ଯୋଗ ଦେଇଛନ୍ତି । ଚଳିତ ବର୍ଷ ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କ ଡଙ୍ଗର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।ମା’ ସର୍ବମଙ୍ଗଳାଙ୍କ ପୁଝାରୀ ମନୋହର ପୁଝାରୀ, ଗଣନାଥ ପୁଝାରୀ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସଭାପତି ହେମନ୍ତ ମାଝୀ ଙ୍କ ତତ୍ୱାବଧାନ ରେ ଗୋତୋମୁଣ୍ଡା ଗ୍ରାମର ବଳିଆରସିଂ ମରେଇ, ପାର୍ଥବ ମାଝୀ, ଗଣା ମଳୟ ବାଗ, ହିମାଞ୍ଚଲ ପୁଝାରୀ, ପୂର୍ଣ୍ଣଚନ୍ଦ୍ର ନାଏକ, ବଳରାମ ମାଝୀ, ନିରଞ୍ଜନ ବାଗ, ଇଶରାମ କୋଲଥିଆ, ଦୁର୍ଯ୍ୟୋଧନ କାଣ୍ଡ, ଲକ୍ଷ୍ମୀଧର ପଟେଲ, ମୁରଲୀ ଅଂଟି, ଭତନ ମାଝୀ, ଶିରା ଅମୂଲ ମାଝୀ, ଶିରା ଦେବୀସିଂ ମାଝୀ, ପ୍ରମୁଖ ସହଯୋଗ କରିଥିଲେ ।