ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର କପିଲାସ ରୋଡରେ ଲରି ମାଲିକ ସଂଘ ନାମରେ ଥିବା ଏକ ଗୃହକୁ ଆଜି ଟ୍ରକ ମାଲିକ ସଂଘକୁ ହସ୍ତାନ୍ତର କରାଯାଇଛି । ଆଜି ସକାଳେ ଲରି ମାଲିକ ସଂଘ ସଭାପତି କେ.ରାଘବ କୁମୁନ୍ଦନ ଗୃହର ଚାବିକୁ ନେଇ ଟ୍ରକ ମାଲିକ ସଂଘ ସଭାପତି ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁଙ୍କୁ ହସ୍ତାନ୍ତର କରିଥିଲେ । ଯାହାକୁ ନେଇ ଟ୍ରକ ମାଲିକ ସଂଘ କାର୍ଯ୍ୟକର୍ତା ଓ ସଭ୍ୟମାନଙ୍କ ମଧ୍ୟରେ ଏକ ପ୍ରକାର ଖୁସି ଖେଳି ଯାଇଛି । ରାୟଗଡା ସହରରେ ଲରି ମାଲିକ ସଂଘ ନାମରେ ତିନୋଟି ସ୍ଥାନରେ ସଂପତି ରହିଥିବା ବେଳେ ଟ୍ରକ ମାଲିକ ସଂଘ ନାମରେ କୈାଣସି ସ୍ଥାୟୀ ସଂପତି ନ ଥିଲା । ଯାହାକୁ ନେଇ ଟ୍ରକ ମାଲିକ ସଂଘ ନିଜ ପାଇଁ ଖଣ୍ଡିଏ ସ୍ଥାୟୀ ଜାଗା ଆବଶ୍ୟକ ପଡୁଥିବାରୁ ଲରି ମାଲିକ ସଂଘକୁ ଜାଗା ପ୍ରଦାନ ଦାବି କରି ଆସୁଥିଲେ । ତେବେ ଲରି ମାଲିକ ସଂଘ ତରଫରୁ ସ୍ଥାନୀୟ ଏକ ଅନ୍ୟ ସଂଘକୁ ଜାଗା ବ୍ୟବହାର ପାଇଁ ଲିଜ ଆକାରରେ ପ୍ରଦାନ କରାଯାଇଥିବା ବେଳେ ଟ୍ରକ ମାଲିକ ସଂଘକୁ ପ୍ରଦାନ କରାଯାଇ ନ ଥିଲା । ଯାହାକୁ ନେଇ ଟ୍ରକ ମାଲିକ ସଂଘ ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗତ ଅଗଷ୍ଟ ମାସ ୨ତାରିଖରେ ସହରର ନ୍ୟିୁକଲୋନୀ ସ୍ଥିତ ପୁରୁଣା ଫାଏର ଷ୍ଟେସନ ରାସ୍ତା ତଥା ଇଣ୍ଡିଆନ୍ ବ୍ୟାଙ୍କ ରୋଡରେ ଥିବା ଲରି ମାଲିକ ସଂଘର ରାୟଗଡା ମୈାଜାର ଜାଗା ଉପରେ ଟ୍ରକ ମାଲିକ ସଂଘର କିଛି ସଦସ୍ୟ ପକ୍ଷରୁ ଜୋର ଜବରଦସ୍ତ ଦଖଲ କରାଯାଇଥିବା ବେଳେ ଘଟଣାଟି ରାୟଗଡା ଥାନାରେ ପଂହଚିଥିଲା । ଉଭୟ ପକ୍ଷଙ୍କ ଅଭିଯୋଗ ଓ ଦାବିକୁ ନେଇ ଥାନା ଅଧିକାରୀ ୧୫ ଦିନ ସମୟ ମଧ୍ୟରେ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିବା ବେଳେ ଯଦି କୈାଣସି ନିଷ୍କର୍ସ ନ ବାହାରେ ତେବେ ଉକ୍ତ ଜାଗାଟି ସିଭିଲ କୋର୍ଟକୁ ସ୍ଥାନାନ୍ତର କରାଯିବ । କିନ୍ତୁ ଉଭୟ ସଂଘ ପକ୍ଷରୁ ମାମଲା ସମ୍ବନ୍ଧରେ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ କପିଳାସ ରୋଡରେ ଥିବା ଜାଗାଟି ଟ୍ରକ ମାଲିକ ସଂଘକୁ ହସ୍ତାନ୍ତର କରିବା ପାଇଁ ଲରି ମାଲିକ ସଂଘ ମାନି ନେବା ଏବଂ ଆମ ଭିତରେ କେବେ ବି ଜାଗାକୁ ନେଇ କୈାଣସି ବିବାଦ ତଥା ମନାନ୍ତର ନ ଥିଲା ବୋଲି ଉଭୟ ସଂଘର କାର୍ଯ୍ୟକର୍ତାମାନେ ପ୍ରକାଶ କରିଛନ୍ତି । କପିଲାସ ରୋଡରେ ଥିବା ଗୃହର ଚାବି ଟ୍ରକ ମାଲିକ ସଂଘକୁ ହସ୍ତାନ୍ତର ହେବା ପରେ ସଭାପତି କୋଣ୍ଡାବାବୁ ସମସ୍ତଙ୍କୁ ମିଷ୍ଟାନ ବଂଟନ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।