ଖଲ୍ଲିକୋଟ ବ୍ଲକ ସରପଞ୍ଚ ସଂଘ ଗଠିତ

ମନୋଜ ସେଠି ସଭାପତି, ପ୍ରକାଶ ଶାସମଲ ସମ୍ପାଦକ

ପଂଚାୟତ କ୍ଷମତା ସଂକୁଚିତ ନେଇ ହେବ ପ୍ରତିବାଦ 

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ସରପଞ୍ଚ ସଂଘ ଗଠିତ ହୋଇଥିବା ଜଣାପଡିଛି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କହେଁଇପୁର ପଂଚାୟତର ରାହଣ ଦେବୀ ମନ୍ଦିର ପରିସରରେ ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସରପଞ୍ଚମାନଙ୍କ ମାସିକ ପରିତୋଷିକ ୨୩୦୦ ଟଙ୍କା ରୁ ୩୦ହଜାରକୁ ବୃଦ୍ଧି କରିବା, ପଂଚାୟତକୁ ମିଳିଥିବା ୨୯ଗୋଟି କ୍ଷମତାକୁ ଗ୍ରାମ ପଂଚାୟତ ହାତରେ ନ୍ୟସ୍ତ କରିବା, ସରପଞ୍ଚ ମାନଙ୍କ ମୃତ୍ଯୁକାଳୀନ ବୀମା ୫୦ଲକ୍ଷ ଟଙ୍କା ଓ ମାସିକ ପେନସନ ପାଞ୍ଚ ହଜାର କରିବା, ବିଲରେ କାଉଣ୍ଟର ଦସ୍ତଖତକୁ ବନ୍ଦ କରିବା, ଭତ୍ତା ଓ ରାସନ କାର୍ଡ, ନଳକୂପ ଖୋଲିବା ଓ ପାନୀୟ ଜଳ କ୍ଷେତ୍ରରେ ସରପଞ୍ଚମାନଙ୍କୁ କ୍ଷମତା ହସ୍ତାନ୍ତର କରିବା, ପଂଚାୟତ ସ୍ତରର ସମସ୍ତ ଯୋଜନା, ପଲ୍ଲୀସଭା ଓ ଗ୍ରାମସଭାକୁ ସମ୍ପୂର୍ଣ୍ଣ କ୍ଷମତା ଦେବା ସାଙ୍ଗକୁ ଆମ ଓଡିଶା ଓ ନବୀନ ଓଡିଶା ଯୋଜନାକୁ ଗ୍ରାମ ସଭା ଅନୁମୋଦନ କ୍ରମେ କରିବା ଭଳି ୧୫ ଦଫା ଦାବି ନେଇ ଆଲୋଚନା କରିବା ସହ ଏହି ଦାବିପତ୍ର ବିଡିଓ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଖଲ୍ଲିକୋଟ ବ୍ଲକର ତିନିଗୋଟି ଜିଲ୍ଲା ପରିଷଦ ଜୋନରୁ ସାତ ଜଣ ସରପଞ୍ଚଙ୍କୁ ଚୟନ କରି ତାଳପଡା ସରପଞ୍ଚ ମନୋଜ କୁମାର ସେଠି – ସଭାପତି, ପଥରା ସରପଞ୍ଚ ପିଙ୍କି ବେହେରା – ଉପସଭାପତି, କହେଁଇପୁର ସରପଞ୍ଚ ପ୍ରକାଶ ଶାସମଲ – ସମ୍ପାଦକ, ନିର୍ମଳା ଶବର – ସହ ସମ୍ପାଦକ, କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ – କୋଷାଧ୍ୟକ୍ଷ ଓ ବିକ୍ରମପୁର ସରପଞ୍ଚ ପ୍ରସନ୍ନ ଆଚାର୍ଯ୍ୟ ଓ ମଥୁରା ସରପଞ୍ଚ ମେହମତ ସେଠିଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା। ପ୍ରକାଶ ଥାଉକି, ଖଲ୍ଲିକୋଟ ବ୍ଲକରେ ସରପଞ୍ଚ ସଂଘ ଗଠନ ପାଇଁ ଚାରିଗୋଟି ବୈଠକ ରାଜନୈତିକ ହସ୍ତକ୍ଷେପ କାରଣରୁ ବାତିଲ ହୋଇଥିବା ବେଳେ ପଞ୍ଚମ ବୈଠକରେ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା। ତେବେ କର୍ମକର୍ତ୍ତା ଚୟନ ବୈଠକରେ ମୋଟ ୨୯ଗୋଟି ପଂଚାୟତର ୨୩ଜଣ ସରପଞ୍ଚ ଯୋଗ ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.