ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ, କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। କବିଙ୍କ ବିଶ୍ଵ ଦୃଷ୍ଟି, ଅମୃତ ଜୀବନ ଦର୍ଶନ, ଭାଷାର ସଙ୍କଟ କାଳରେ ମଙ୍ଗ ଧରିବା, ଚାଷ ଓ ଚାଷୀର କଥା, ଭାରତୀୟ ପୁରାଣ ଓ ଦର୍ଶନର ଚିରନ୍ତନ ମୂଲ୍ୟବୋଧ କିଭଳି ତାଙ୍କ ବିଭିନ୍ନ ସାରସ୍ଵତ କୃତି ଗୁଡ଼ିକରେ ସୁସ୍ପଷ୍ଟ, ତାହାର ସାରଗର୍ଭକ ଆଲୋଚନା କରିଥିଲେ କଟାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଡ. ଭଗବତୀ କର। ବିଶ୍ଵ ଦେଖ ମଧୁମୟରେ ଜୀବନ କବିତାରେ ବିନ୍ଦୁରେ ଜୀବନର ସିନ୍ଧୁ ଦର୍ଶନ ଯେ ମେହେରୀୟ ସାହିତ୍ୟର ଅନ୍ୟତମ ଆକର୍ଷଣ, ତାହାର ବିଭିନ୍ନ ପଂକ୍ତି ଉଦ୍ଧୃତି କରି ମୁଖ୍ୟ ଅତିଥି ଡ. ଅଶୋକ କୁମାର ମହାପାତ୍ର ପିଲାଙ୍କୁ ବୁଝାଇଥିଲେ। ପ୍ରାରମ୍ଭିକ ତଥା କିଶୋର ଜୀବନରେ ଛାତ୍ରଛାତ୍ରୀଙ୍କୁ କିଭଳି ଅମୃତମୟ କବିଙ୍କ କୋମଳ କବିତା ପ୍ରଭାବିତ କରିଥାଏ, ତାହାର ଉଦାହରଣ ଦେଇଥିଲେ ସଭାର ସଭାପତି ଅଧ୍ୟକ୍ଷ ଘନଶ୍ୟାମ ବେହେରା। ଡ. କୌତୁକ ପନ୍ଦର ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏ ସଭାରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେ ଛାତ୍ରୀ ଦିଶା ସାହୁ ନିଜ ଦୃଷ୍ଟିରେ ଗଙ୍ଗାଧରଙ୍କୁ ଆଲୋଚନା କରିଥିଲେ। ସହକାରୀ ପ୍ରଫେସର ଡ.ଅମୃତ ସିଂ ବରିହା, ଡ଼.ଅଶୋକ କୁମାର ମହାରଣା, ବିଶ୍ଵ ଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଅମୃତା ମହାପାତ୍ର, ରାମଶଙ୍କର ମେହେର, ଅମିତୋଷ ମିଶ୍ର, ଛାତ୍ର ରାକେଶ ସାଏ ଓ ଅନ୍ୟମାନେ ସହଯୋଗ କରିଥିଲେ।