ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ମାଉଣ୍ଟେନ କିଡ୍ହ ସ୍କୁଲରେ ଲାଗି ରହିଥିବା ଅବ୍ୟବସ୍ଥା, ନିକଟରେ ଘଟିଥିବା ସ୍କୁଲ ପିକନିକ ଭ୍ୟାନ ଦୁର୍ଘଟଣା, ଢିଲା ସୁରକ୍ଷା ବ୍ୟବସ୍ଥା, ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଆଦିକୁ ନେଇ ବୁଧବାର ପେରେଣ୍ଟସ ମିଟିଙ୍ଗରେ ଜୋର୍ ବର୍ଷିଛନ୍ତି ଅବିଭାବକ। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ଶନିବାର ଦିନ ଦହଲରୁ ପିକନିକ ସାରି ଆବଶ୍ୟକତା ଠାରୁ ଅଧିକ ପରିମାଣର ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବାବେଳେ ସ୍କୁଲ ଭ୍ୟାନ ନର୍ଲା ଉଚ୍ଚ ବିଦ୍ୟାଳୟ ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଇଥିଲା। ଭ୍ୟାନଟି ସମ୍ପୂର୍ଣ ଓଲଟି ପଡିବାରୁ ଛାତ୍ରଛାତ୍ରୀ ମାନେ ଗୁରୁତର ହେଇ ପଡ଼ିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ନର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଥି ମଧ୍ୟରୁ ଅତ୍ୟଧିକ ଗୁରୁତର ଥିବା ଛାତ୍ରଛାତ୍ରୀମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକତ୍ସାଲୟକୁ ପ୍ରେରଣ କରିଥିଲେ। ସେଠାରୁ କିଛି ରାଜ୍ୟ ବାହାରର ହସ୍ପିଟାଲମାନଙ୍କରେ ଚିକିତ୍ସିତ ହେଉଛନ୍ତି ଓ ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ତିନିଜଣ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପୂର୍ଣ୍ଣ ରହିଥିବା ଜଣା ପଡିଛି। ଏ ନେଇ ଜଣେ ଛାତ୍ରଙ୍କ ଅଭିଭାବକ ନର୍ଲା ଥାନାରେ ଏକ କେସ ରୁଜୁ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏସବୁ ଘଟଣାକ୍ରମକୁ ନେଇ ବୁଧବାର ସ୍କୁଲ ପରିସରରେ ଅବିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଉଣ୍ଟେନ କିଡ୍ସ ସ୍କୁଲର ଚ୍ୟାରମେନ ନବୀନ ସାହୁ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର, ବିଦ୍ୟାଳୟର ପ୍ରିନ୍ସପାଲ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକମାନେ ଉପସ୍ଥିତ ଥିଲେ। ସ୍କୁଲ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା। ଦୁର୍ଘଟଣା ପରେ ତତ୍କାଳ ସ୍କୁଲ କର୍ତ୍ତୃପକ୍ଷ ଆହତ ଶିଶୁମାନଙ୍କ ଖବର ନନେବା ଓ ଖାମଖିଆଲି ମନୋଭାବ ପୋଷଣ କରିଥିବାରୁ ସ୍କୁଲ ଚ୍ୟାରମେନଙ୍କ ଉପରେ ଜୋର୍ ବର୍ଷିଥିଲେ ଅବିଭାବକ। ଅବିଭାବକମାନଙ୍କ ପ୍ରଶ୍ନବାଣର ଉତ୍ତର ରଖିବା ସହ ଏହି ଦୁର୍ଘଟଣା ପାଇଁ ହାତଯୋଡି କ୍ଷମା ପ୍ରାର୍ଥନା କରିଥିଲେ ସ୍କୁଲ ଚ୍ୟାରମେନ ନବୀନ ଦାଶ। ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟେ ସେନେଇ ଚ୍ୟାରମେନ ଶ୍ରୀ ଦାଶଙ୍କୁ ପରାମର୍ଶ ଦେଇଥିଲେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର।