ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

ସଂସଦୀୟ କ୍ଷେତ୍ରର ବିକାଶ ପାଇଁ କଲେ ଦାବୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟ ମୂଳକ ସାକ୍ଷାତକାରରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ନିଜର ସଂସଦୀୟ କ୍ଷେତ୍ରର ସମସ୍ୟାକୁ ନେଇ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ସାଂସଦ ଶ୍ରୀ ପଣ୍ଡାଙ୍କର ସଂସଦୀୟ କ୍ଷେତ୍ରରେ ଥିବା ଦୁଇ ଜିଲ୍ଲା ନୂଆପଡା ଓ କଳାହାଣ୍ଡିରେ ରେଳ ଲାଇନର ବିସ୍ତାର, ନୂତନ ରେଳ ୱାର୍କସପ ନିର୍ମାଣ, ସୁପର ଫାଷ୍ଟ ଟ୍ରେନ ରହଣୀ ଭଳି ମୁଖ୍ୟ ସମସ୍ୟା ସବୁ ଉଲ୍ଲେଖ ରହିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା କ୍ଷେତ୍ରର ରେଳ ପ୍ରକଳ୍ପ ଇଲେକଟ୍ରିକ ଲୋକୋ ପିରିଓଡ଼ିକ ଓଭରହିଲିଙ୍ଗ ୱାର୍କସପକୁ ୭ ବର୍ଷ ହେଲା ମଞ୍ଜୁରୀ ମିଳିଥିଲେ ସୁଦ୍ଧା ଏ ଯାଏଁ କାମ ଆରମ୍ବ ହୋଇ ନାହିଁ। ଏହି ପ୍ରକଳ୍ପ ପାଇଁ ଶତକଡା ୬୫ ଭାଗ ଜମି ଅଧିଗ୍ରହଣ ମଧ୍ୟ ସରି ଯାଇଛି। ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ। ସେହିପରି ଜୁନାଗଡ଼ରୁ ନବରଙ୍ଗପୁର ରେଳ ଲାଇନ ପ୍ରକଳ୍ପକୁ ପି.ଏମ ଗତି ଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଡ଼ିପିଆର ମଧ୍ୟ ତିଆରି ହୋଇ ଯାଇଛି ତେବେ ଏହି ପ୍ରକଳ୍ପକୁ ତୁରନ୍ତ ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଉ। ଏହା ସହିତ ବିଶାଖାପାଟଣାରୁ ରାୟଗଡାକୁ ଚାଲୁଥିବା ଟ୍ରେନକୁ ଭବାନୀପାଟଣା ପର୍ଯ୍ୟନ୍ତ ବିସ୍ତାର କରାଯାଉ। ଚତୁର୍ଥରେ ସମତା ଟ୍ରେନକୁ ନୂଆପଡା, ରୁପ୍ରାରୋଡ ଓ ନର୍ଲା ରୋଡ ଷ୍ଟେସନରେ ରହଣୀ ସହିତ ସପ୍ତାହରେ ୩ ଦିନ ପ୍ରୟାଗରାଜରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଣା ଯାଉ ଏହା ସହିତ ଇସ୍ପାତ ଟ୍ରେନକୁ ମଧ୍ୟ ୩ ଦିନ ପାଇଁ କେସିଙ୍ଗା ଷ୍ଟେସନ ପର୍ଯ୍ୟନ୍ତ ବିସ୍ତାର କରାଯାଉ ଏବଂ ତିରୁପତି ଏକ୍ସପ୍ରେସ ଟ୍ରେନକୁ ଚେନ୍ନାଇ ଓ ମାଡ୍ରାସ ପର୍ଯ୍ୟନ୍ତ ବିସ୍ତାର କରାଯାଉ। ତେବେ ଦୁର୍ଗ ପୁରୀ ଟ୍ରେନକୁ ଭାୟା କେସିଙ୍ଗା ରେଳ ଷ୍ଟେସନ ଦେଇ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚଳାଚଳ ହେଲେ ସମ୍ବଲପୁର ଯାଉଥିବା ଯାତ୍ରୀଙ୍କୁ ସୁବିଧା ହେବ। ସବାଶେଷରେ ନୂଆପଡାରୁ ଜଗଦଳପୁର ପାଇଁ କୋମନା, ଖଡ଼ିଆଳ, ସିନାପାଲି, ଧର୍ମଗଡ ଦେଭୋଗ ଦେଇ ଏକ ନୂତନ ରେଳ ଲାଇନ ନିର୍ମାଣ ହେଉ ଯାହାଫଳରେ ବ୍ୟବସାୟ ଓ ଯାତାୟାତ ବଢିବ ବୋଲି ସାଂସଦ ଶ୍ରୀ ପଣ୍ଡା ନିଜର ୬ ଦଫା ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ  ବୈଷ୍ଣବ ଏହି ୬ ଦଫା ଦାବିପତ୍ରକୁ ଗ୍ରହଣ କରି ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ସାଂସଦ ଶ୍ରୀ ପଣ୍ଡାଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.