ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବୈଦେହୀ ବେଶ୍ରା ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କଳାହାଣ୍ଡି ପକ୍ଷରୁ ଏ ସମ୍ବନ୍ଧରେ ପତ୍ରସଂଖ୍ୟା-୫୩, ତାରିଖ ୨୯/୧/୨୦୨୪ରେ କାଉଡୋଲା ସମିତି ସଭ୍ୟ ପଦବି ଶୂନ୍ୟ ହେଲାବୋଲି ଘୋଷଣା କରାଯାଇଛି। ସୂଚନା ଯେ’ କାଉଡୋଲା ସମିତି ସଭ୍ୟା ବୈଦେହୀ ବେଶ୍ରା ଦୁଇରୁ ଅଧିକ ସନ୍ତାନ ଥିବା ସତ୍ତ୍ୱେ ସମିତି ସଭ୍ୟା ଭାବେ ନିର୍ବାଚିତ ହେଇଥିଲେ। ଏହାକୁ ନେଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମାଧବୀ ବେଶ୍ରା ଅଦାଲତର ଆଶ୍ରୟ ନେଇଥିଲେ। ମାନ୍ୟବର ଅଦାଲତ, ଜୟପାଟଣା ଏହି ମାମଲାକୁ ଗୁରୁତର ସହ ବିଚାର କରି କାଉଡୋଲା ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ବୈଦେହୀ ବେଶ୍ରାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେଣୁ କଳାହାଣ୍ଡି ଜିଲ୍ଲାପାଳ କାଉଡୋଲା ସମିତି ସଭ୍ୟ ପଦବୀ ଶୂନ୍ୟ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।