ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଉଲିସିର୍କା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ସାହୁ ପାଇଛନ୍ତି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ତାଙ୍କ ଉଲିସିର୍କା ପ୍ରାଥମିକ ବିଦ୍ୟାଳୟ ମଧ୍ଯ ପାଇଛି “ବିଦ୍ୟାଳୟ ଶିକ୍ଷା ପୁରସ୍କାର”। ଜିଲ୍ଲାର ପ୍ରତି ବ୍ଲକ ର ଗୋଟିଏ ବିଦ୍ୟାଳୟ ଓ ଜଣେ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ବିଦ୍ୟାଳୟ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଜିଲ୍ଲାରେ ୧୪ ଗୋଟି ବିଦ୍ୟାଳୟ ଓ ୧୪ ଜଣ ଶିକ୍ଷକ ଜିଲ୍ଲା ସ୍ତରୀୟ ପୁରସ୍କାର ପାଇଛନ୍ତି। ଏହି କ୍ରମରେ ଉଲିସିର୍କା ପ୍ରାଥମିକ ବିଦ୍ୟାଳୟ ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ସାହୁ ବ୍ଲକର ଏକମାତ୍ର ବିଦ୍ୟାଳୟ ଓ ଶିକ୍ଷକ ଭାବରେ ପାଇଛନ୍ତି ସମ୍ମାନ ଜନକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏଥିପାଇଁ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ବୁଧବାର ଅନୁଷ୍ଠିତ ହୋଇଥଲା ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ। ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ କ୍ଷେତ୍ରରେ ‘ବ୍ୟକ୍ତିଗତ’ଠାରୁ ନେଇ ‘ସାଂଗଠନିକ’ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଶ୍ରେଷ୍ଠମାନଙ୍କୁ ବଛାଯାଇ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ‘ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ’ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ କରି ଶିକ୍ଷକ ମାନଙ୍କୁ ପୁରସ୍କୃତ କରିଥିଲେ। ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭଳି ଏକ ସମ୍ମାନ ଜନକ ପୁରସ୍କାର ପାଇଥିବାରୁ ଉଲିସିର୍କା ପ୍ରଧାନ ଶିକ୍ଷକ ନେପାଳ ସାହୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।