ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ଅଭିନବ ପ୍ରୟାସ

ଗ୍ରନ୍ଥାଗାରରେ ଗଚ୍ଛିତ ପୁସ୍ତକର ସଜ୍ଜିକରଣ ଓ ବ୍ୟବହାର ସମ୍ପର୍କରେ କରାଗଲା ସଚେତନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଦ୍ବାରା ପ୍ରସାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆପାଢୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅନ୍ତର୍ନିହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳପ୍ରସଙ୍ଗ ‘ଲାଇବ୍ରେରୀ ଅର୍ଗାନାଇଜିଙ୍ଗ ଓ ଆୱାରନେସ୍’ ବା ‘ଗ୍ରନ୍ଥାଗାରକୁ ସୁସଂଯୋଜିତ କରିବାର ପ୍ରଶିକ୍ଷଣ ଓ ସେଚତନତା’ ରହିଥିଲା। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହାୟତାରେ ବିଦ୍ୟାଳୟରେ ଗ୍ରନ୍ଥାଗାରରେ
ଉପଲବ୍ଧ ସମସ୍ତ ପୁସ୍ତକ ପୁସ୍ତିକା ଗୁଡିକୁ ସଜାଡିବାର ପ୍ରଣାଳୀ ସହ ଏହାକୁ ବ୍ୟବହାର କରିବା ସଂପର୍କରେ ସଚେତନ କରାଯାଇଥିଲା। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଏହାର ଉଦଘାଟନ ହେଇଥିଲା। ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏହି ସଚେତନତାର କାର୍ଯ୍ୟକ୍ରମର ଉପଯୋଗିତା ଓ ଏଥିସହ ବିଶ୍ବବିଦ୍ୟାଳୟର ସଂଯୋଜିତ ଆଭିମୁଖ୍ଯକୁ ବର୍ଣ୍ଣନା କରିଥିଲେ। ବିଭାଗର ସଂଯୋଜକ ଡକ୍ଟର ଜଗନ୍ନାଥ ବେହେରା ସ୍ଵାଗତ ଅଭିଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ବିଭାଗର ସହକାରୀ ପ୍ରଫେସର ତଥା ଏହି ସଚେତନତାର କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ମନୋଜ କୁମାର ଆଚାର୍ଯ୍ଯ ସଂଚାଳନ ଭାବେ ଦାୟିତ୍ବ ନିର୍ବାହ କରି କାର୍ଯ୍ୟକ୍ରମଟିକୁ ସଫଳତାର ସହ ସଂପାଦନ କରାଯିବାର ଆଶା ବ୍ୟକ୍ତ କରିଥିଲେ। ନୂଆପାଢୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ ସିଅଳ ବିଶ୍ବବିଦ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରୁ ଶିକ୍ଷାଲାଭ କରିବେ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗର ସହକାରୀ ପ୍ରଫେସର ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.