ମାରାଗୁଡା ଉତ୍ସବ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ଫେବୃଆରୀ ୧୭ରେ ହେବ ମାରାଗୁଡା ଉତ୍ସବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବୁଧବାର ପୂର୍ବାହ୍ନରେ ନୂଆପଡା ସଦଭାବନା ସଭାଗୃହ ଠାରେ ଚଳିତ ବର୍ଷ ମାରାଗୁଡା ଉତ୍ସବ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବରଙ୍କ ଅଧକ୍ଷତାରେ ଆୟୋଜିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଉପାଧକ୍ଷ ପ୍ରତିନିଧି କାର୍ତ୍ତିକ ଦୀପ, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ବରିଷ୍ଠ ସମାଜସେବୀ ଭୈରବ ସାହୁ, ଯୁବ ସମାଜସେବୀ ହରିଶ ଚନ୍ଦ୍ର ପଣ୍ଡା, ଗରିବସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ, କୋଶଲ ସଂଗଠନ ସଭାପତି ସୁରଜିତ ସିଂ ମହାରଥା, ସାରଳା ସଂଗୀତ ଅନୁଷ୍ଠାନ ପ୍ରତିନିଧି ଶଙ୍କର୍ଷଣ ପୁରୋହିତ ଏବଂ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, କଳାକାର, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ମାରାଗୁଡ଼ ଉତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ସୁପରିଚାଳିତ କରିବା ପାଇଁ ୧୧ଟି କମିଟି ଯଥା ଉପଦେଷ୍ଟା କମିଟି, ଫାଇନାନ୍ସ କମିଟି, ରିସେପସନ କମିଟି, ଏକଜାବେଶନ ଓ ପଲ୍ଲିଶ୍ରୀ ମେଳା କମିଟି, ଏକୋମେଣ୍ଡେସନ କମିଟି, ଫୁଡ କମିଟି, ଷ୍ଟେଜ ମେନେଜମେଣ୍ଟ କମିଟି, ପବ୍ଲିସିଟି କମିଟି, ସେଫଟି ଏବଂ ସିକ୍ୟୁରିଟି କମିଟି, ସେନୀଟେସନ ଏବଂ ଗ୍ରାଉଣ୍ଡ ମେନେଜମେଣ୍ଟ କମିଟି ଏବଂ ସାଂସ୍କୃତିକ କମିଟିରେ ଭାଗ କରି ଅଧିକାରୀ ଓ ଉପଯୁକ୍ତ ସହରବାସୀଙ୍କୁ ଦାଇତ୍ୱ ପରିଚାଳନା ପାଇଁ ଦେଇ ଦିଆଯାଇଛି | ପୂର୍ବ ପ୍ରସ୍ତୁତି ବୈଠକ ପରେ ମାରାଗୁଡା ମହୋତ୍ସବ ହେବାକୁ ଥିବା ମିନି ଷ୍ଟାଡିଅମକୁ ଜିଲ୍ଲା ପ୍ରଶାସନ ଓ ସହରବାସୀ ମିଶି କାର୍ଯ୍ୟକ୍ରମ କିପରି ହେବ ଏହାପାଇଁ ଶାରୀରିକ ଭାବେ ପରିଦର୍ଶନ କରି ଦେଖିଥିଲେ | ତେବେ ଚଳିତ ମାସ ୧୭, ୧୮ ଓ ୧୯ ତାରିଖରେ ମାରାଗୁଡା ଉତ୍ସବ ହେବା ପାଇଁ ସ୍ଥିର କରାଯାଇଥିବା ବେଳେ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ହେବ | ପ୍ରକାଶ ଜେ ଆଜିକୁ ଦୀର୍ଘ ୧୨ ବର୍ଷ ହେବ ମାରାଗୁଡା ଉତ୍ସବ ବନ୍ଦ ହୋଇଯାଇଥିଲା | ଏହା ଦ୍ୱାରା ଅଂଚଳର ଲୋକକଳା, ସଂସ୍କୃତି, ପରମ୍ପରା ଲୋପ ପାଇ ବସୁଥିବା ବେଳେ ଜିଲ୍ଲାର କଳାକାର ମାନେ ମଞ୍ଚ ଖୋଜୁଥିଲେ ନିଜର ପ୍ରତିଭା ଦେଖାଇବା ପାଇଁ | ଅନେକ ସମୟରେ ବୁଦ୍ଧିଜୀବୀ ମହଲରେ ଏବଂ ଜନସାଧାରଣରେ ମାରାଗୁଡା ଉତ୍ସବ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଥିଲା | ତେବେ ସମସ୍ତଙ୍କର ପ୍ରତୀକ୍ଷାର ଅନ୍ତ ଘାଟଇ ନୂଆପଡା ଜିଲ୍ଲପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବରଙ୍କ ପ୍ରୟାଶ ଓ ସହରବାସୀଙ୍କ ଲଗାତାର ସତଚେଷ୍ଟା ଫଳରେ ପୁଣି ନୂଆପଡା ଜିଲ୍ଲାରେ ମାରାଗୁଡା ଉତ୍ସବ ଜୀବନ୍ତ ହୋଇ ଫେରି ଆସିଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.