ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଫେବୃୟାରୀ ୯ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ଓ ସ୍ୱାଭିମାନର ବିକାଶ ନିମନ୍ତେ ସର୍ବଦା ଚ଼େଷ୍ଟିତ ଓଏସଇଏଫଡ଼ି (OSEFD) ଓ‌ ଓଏସଏସଇଟିଏ (OSSETA) ସଂଘର‌ ମିଳିତରେ ଗଠିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆସନ୍ତା ଫେବୃୟାରୀ ୯ ତାରିଖ ଠାରୁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ମହାସମାବେଶ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ହେବାକୁ ଯାଉଛି । ସଂଘ ଏହା ପୂର୍ବରୁ ଦୀର୍ଘ ବର୍ଷ ଧରି ବିଭିନ୍ନ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି । ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ଯେ – ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016,RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌କୁ ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରୁଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆଶ୍ଚର୍ଯ୍ୟଜନକ । ଆମେ ମାନେ ସ୍ବତନ୍ତ୍ର ଶିକ୍ଷା ରେ ଡିପ୍ଲୋମା, ବି.ଇଡ଼ି ଓ ଏମ୍.ଇଡ଼ି କରି ଭାରତୀୟ ପୁନର୍ବାସ ପରିଷଦ ରେ ନାମ ପଞ୍ଜିକରଣ କରି ବେକାରୀ ହୋଇ ବସିଅଛୁ । ଆମେ ଯାହାଙ୍କୁ ପଢ଼ାଇବା ପାଇଁ ପ୍ରଶିକ୍ଷଣ ନେଇଛୁ, ସେହି ମାନଙ୍କୁ ପଢ଼ାଇବାରୁ ଆମକୁ ବଞ୍ଚିତ ରଖାଯାଉଛି। ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟ ରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରିବା ସହ ୭ ହଜାରରୁ ଉର୍ଦ୍ଧ୍ଵ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ନିଯୁକ୍ତି ନ ପାଇ ବେକାରୀ ହୋଇ ବସିଅଛୁ । ଏଣୁ ଆମ ଆମର ହକ୍, ଅଧିକାର ଓ ସ୍ବତନ୍ତ୍ର ଶିକ୍ଷକ ର ପରିଚ଼ୟ ପାଇବା ପାଇଁ ଆସନ୍ତା ୯ ଫେବୃଆରୀ ମାସ ଠାରୁ ଭୁବନେଶ୍ୱର ର ଲୋୟର ପିଏମଜି ଠାରେ ଧାରଣାରେ ବସିବୁ । ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିନାହାନ୍ତି, ସେହି ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.