କେସିଙ୍ଗା ବ୍ଲକରେ ବାଟବଣା ପଞ୍ଚାୟତ ସ୍ତରୀୟ ଜନସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ପଞ୍ଚାୟତ ସ୍ତରରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜନସଚେତନତା କାର୍ଯ୍ୟକ୍ରମ ହେବା ଫଳରେ ଲୋକେ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ସୂଚନା ପାଇବା ସହିତ ତାହାର ଲାଭ ପାଇବା ସଚେତନତା କରାଯାଉଛି । ଜନସଚେତନତା କାର୍ଯ୍ୟକ୍ରମ ମହାଆଡମ୍ବରରେ କରିବା ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତ ମାନଙ୍କୁ ସ୍ବତନ୍ତ୍ର ଭାବେ ଅନୁଦାନ ପ୍ରଦାନ କରିଥିବା ଜଣାପଡିଛି । ହେଲେ କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଆମ ଓଡିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମକୁ ଦେଖିଲେ ଏକ ପ୍ରକାର ଅବ୍ୟବସ୍ଥା ମଧ୍ୟରେ ହେଉଥିବା ଅଭିଯୋଗ ହେଉଛି । ଜାନୁଆରୀ ୨୭ ତାରିଖ ଦିନ ଠାରୁ କେସିଙ୍ଗା ବ୍ଲକରେ ଆମ ଓଡିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ପଞ୍ଚାୟତରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଗତ ୭ ତାରିଖ ସୁଦ୍ଧା କେସିଙ୍ଗା ବ୍ଲକର ୧୨ ଗୋଟି ପଞ୍ଚାୟତରେ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମକୁ ଦେଖିଲେ ଅଧିକାଂଶ ପଞ୍ଚାୟତରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରତି ପଞ୍ଚାୟତକୁ ୩ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ନେଇ ଶୁଣିବାକୁ ମିଳୁଥିବା ବେଳେ ତଥାପି ପଞ୍ଚାୟତ କତୃପକ୍ଷ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଖାମଖିଆଲି ନେଉଥିବା ଭଳି ପରିଲକ୍ଷିତ ହେଉଛି । ପଞ୍ଚାୟତ କତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଯେଉଁ ଭଳି ଜନସଚେତନତା କାର୍ଯ୍ୟକ୍ରମ ହେବା କଥା ତାହା ହେଉ ନାହିଁ । କେବଳ କାର୍ଯ୍ୟକ୍ରମ ନାମରେ ଟେଣ୍ଟ ବ୍ୟବସ୍ଥା କରିବା ଏବଂ ଲୋକଙ୍କୁ ଭାତ, ମାଂସ ଖାଇବାକୁ ଦେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକି ବୁଧବାର ଦିନ କଶୃପଡା ପଞ୍ଚାୟତରେ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମକୁ ଦେଖିଲେ ତାହା ଯେଉଁ ଭଳି ହେବା କଥା ତାହାର ଦୃଶ୍ୟ ଅଲଗା ରହିଥିଲା । କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇ ଲୋକଙ୍କ ବସିବା ପାଇଁ ଚୌକି ପଡ଼ିଥିଲେ ସୁଦ୍ଧା ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଲୋକେ କିମ୍ବା ଅତିଥି ଆସିନଥିଲେ । କଶୃପଡା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନିଜ ପଞ୍ଚାୟତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷଙ୍କ ନିଜ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡ଼ିଶା ଜନସଚେତନତା କାର୍ଯ୍ୟକ୍ରମ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଉଛି ସତ ହେଲେ ସେହି ଷ୍ଟଲ୍ ଗୁଡ଼ିକ ଖାଲି ପଡ଼ୁଥିବା ଅଭିଯୋଗ ହେଉଛି । ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପିଠା ଯୋଜନା ଭଳି ଏହା ତାର ପରିବର୍ଦ୍ଧିତ ରୂପ ବୋଲି କୁହାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାକୁ ଭଣ୍ଡୁର କରିବାକୁ କିଛି ଜନପ୍ରତିନିଧିଙ୍କ ସହିତ ମିଶି ବ୍ଲକର କେତେକ କର୍ମଚାରୀ ସତେ ଯେମିତି ଅଣ୍ଟା ଭିଡିଛନ୍ତି ବୋଲି ଅଭିଯୋଗ ହେଉଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ କିମ୍ବା ପୂର୍ବତନ ଜନପ୍ରତିନିଧି ମାନଙ୍କୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଏପରିକି କେତେକ ପଞ୍ଚାୟତ ନାମକୁମାତ୍ର ଆୟୋଜନ କରି ବିଲ୍ ଭାଉଚର ଦେଖାଇବା ଚକ୍କରରେ ଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ବୁଲାଇବାକୁ ଆସିଥିବା ଦୁଇ ଲକ୍ଷ ଟଙ୍କା କୁ ଯେମିତି କିଛି ପଞ୍ଚାୟତ ହେରଫେର କରିବାକୁ ପଛାଇ ନଥିଲେ ଏବେ ଆମ ଓଡିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମରୁ ମଧ୍ୟ ନିଜ ପକେଟ୍ ଗରମ କରିବାକୁ ବ୍ଲକ କତୃପକ୍ଷ ଙ୍କ ସହିତ ପଞ୍ଚାୟତ କତୃପକ୍ଷ ମିଶି ଉଦ୍ୟମ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନ ଅସନ୍ତୋଷ ବଢ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟୟବରାଦ ର ଏକ ସ୍ବତନ୍ତ୍ର ଅଡିଟ କରାଇବାକୁ ସାଧାରଣରେ ଦାବି ହେଉଛି । କଶୃପଡା ପଞ୍ଚାୟତରେ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମ ଉପରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ପ୍ରତିକ୍ରିୟା ନେବାରୁ ପଞ୍ଚାୟତର ଏକ ଗ୍ରାମରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ଯୋଗୁଁ ଲୋକେ ଆସିବାରେ ବିଳମ୍ବ ହୋଇଛି ବୋଲି କହିଛନ୍ତି । ଅପରପକ୍ଷରେ କଶୃପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝସକେତନ ଭୋଇଙ୍କ ପ୍ରତିକ୍ରିୟା ନେବାରୁ ଜନସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପଞ୍ଚାୟତର ସମସ୍ତ ଗ୍ରାମକୁ ଖବର ଦିଆଯାଇଛି ଏବଂ ୧୫ ଶହ ଲୋକଙ୍କ ପାଇଁ ଆୟୋଜନ କରାଯାଇଛି ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.