ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାୟକ ମୌଷଧୀ ବାଗଙ୍କ ୬୪ତମ ଜନ୍ମ ଦିନରେ କୋକସରା ଛାତ୍ର ବିଜେଡ଼ି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଫେବୃଆରୀ ୮ ଗୁରୁବାର ଦିନ ରକ୍ତଦାନ ଶିବିରକୁ ଧର୍ମଗଡ଼ ବିଧାୟକ ଶ୍ରୀ ବାଗ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କ ଗହଣରେ କେକ୍ କାଟି ନିଜର ଜନ୍ମ ଦିନ ପାଳନ କରିଛନ୍ତି। ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ବାଗ ସ୍ବେଚ୍ଛାକୃତ ଭାବରେ ଯୁବଗୋଷ୍ଠୀ ଆଗେଇ ଆସି ନିଜର ବହୁମୂଲ୍ୟ ରକ୍ତଦାନ କରି ଆଉ କାହାରି ଜୀବନ ବଞ୍ଚାଇବା ପାଇଁ ସହାୟକ ହୁଅନ୍ତୁ, ରକ୍ତଦାନ କରିବା ପାଇଁ ଲୋକଙ୍କୁ ସଚେତନତା ସୃଷ୍ଟି କରି ରକ୍ତ ଭଣ୍ଡାରର ରକ୍ତ ଅଭାବକୁ ପୂରଣ କରନ୍ତୁ ବୋଲି କହିବାସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ କୁମାର ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଳକ ବିଜେଡି ସଭାପତି ଶୁସାନ୍ତ ବେହେରା, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ଜିତେନ ପ୍ରଧାନୀ, ବ୍ଳକ ବିଜେଡି ମହିଳା ନେତ୍ରୀ ଅଶୋକା ନାଏକ, ମୁଷାପାଲି ସମିତି ସଭ୍ୟା ଅଞ୍ଜନା ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଆଶୁତୋଷ ପୁରୋହିତ, ବିନୋଦ ସିଂ, ବାବୁ ସାହୁ, ମୁକ୍ତେଶ୍ଵର ନାଗ, ଅଭିମନ୍ୟୁ ଗୋପାଳ ସମେତ ମହିଳାଙ୍କ ସହ ବିଭିନ୍ନ ସ୍ଥାନରୁ ପ୍ରାୟ ୨୫ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାରର ଏଲଟି ଅଜିତ୍ କୁମାର ନାଏକ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜିବ ମହାଖୁଡ଼, ଗିରିଶ ନାଏକ ପ୍ରମୁଖ ରକ୍ତ ସଂଗୃହୀତ କରିଥିଲେ। ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ମହେଶ ଗୁପ୍ତା, ତ୍ରୀବିକ୍ରମ ଯାଦବ, ତାପସ ରାୟ, ସୁରେଶ ଚନ୍ଦ୍ର ସାହୁ, ଅରବିନ୍ଦ ପଟ୍ଟନାୟକ, ଜିତେନ୍ଦ୍ର ପଣ୍ଡା, କେଶବ ବେଣୁପାଣି ସମେତ ଦଳୀୟ କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଥିଲେ।