ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ପୁଣି ଶୁଭିବ ଶଙ୍ଖ ଧ୍ୱନି !

ବିଧାୟକ ମୌଷଧୀ ବାଗଙ୍କ କାର୍ଯ୍ୟଧାରାକୁ ନେଇ ଜନତା ଖୁସି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅତି ସାଧାରଣ ବେଶଭୂଷା। କଥା କମ୍, କାମ ବେଶୀ। ଏକ ସାଧାରଣ କୃଷକ ପରିବାରରେ ଜନ୍ମ କିନ୍ତୁ ରହିଛି ଉଚ୍ଚ ବିଚାର। ସମସ୍ତଙ୍କୁ ସମାନ ନଜରରେ ଦେଖିବା। ଜନତାଙ୍କ ସହ ଦୁଃଖ ସୁଖରେ ରହି ଅଞ୍ଚଳର ବିକାଶ ହିଁ ନିଜ କର୍ତ୍ତବ୍ୟ ବୋଲି ବିଚାର କରୁଥିବା ଏକ ନିଆରା ବ୍ୟକ୍ତିତ୍ବର ଅଧିକାରୀ ହେଉଛନ୍ତି ଧର୍ମଗଡ଼ ବିଧାୟକ ମୌଷଧି ବାଗ। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜେଡ଼ି ପ୍ରାର୍ଥୀ ମୌଷଧୀ ବାଗ ଧର୍ମଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ କୌଣସି ରାଜନୈତିକ ଅଭିଜ୍ଞତା ନଥାଇ ମଧ୍ୟ ସେ ନବୀନ ସରକାରଙ୍କ ବିକାଶ ଧାରା ଓ ନିଜର ସ୍ବଚ୍ଛ ଭାବମୂର୍ତ୍ତି ଯୋଗୁଁ ଜନତାଙ୍କ ଆଶିର୍ବାଦ ଲାଭ କରିଥିଲେ। ବିଧାୟକ ଭାବେ ନିର୍ବାଚିତ ହେବାପରେ ତାଙ୍କର ପ୍ରାଥମିକତା ଥିଲା ଗାଁ ଗାଁର ମୌଳିକ ଆବଶ୍ୟକତା ପୂରଣ କରିବା। ଏଥିପାଇଁ ସେ ଦିନରାତି ଏକ କରି ତୃଣମୂଳ ସ୍ତରରେ ଜନତାଙ୍କ ସହ ସାକ୍ଷାତ କରି ଯଥା ସମ୍ଭବ ସମସ୍ୟା ସବୁର ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶଧାରା ଆଗେଇ ଚାଲିଛି। ଏହି କ୍ରମରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ମଧ୍ୟ ଦୃତ ବିକାଶ ସାଧିତ ହୋଇଛି। ଫାଇବ୍-ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଉପକ୍ରମ ଗ୍ରାମ୍ୟ ବିକାଶକୁ ନୂତନ ଆଭା ଦେଖାଇଛି। ଏହାସହ ବିଧାୟକ ଶ୍ରୀ ବାଗଙ୍କ ନିରବିର୍ଛ୍ଛିନ୍ନ ପରିଶ୍ରମ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା, କଲମପୁର, ଧର୍ମଗଡ ବ୍ଲକ ଓ ଜୟପାଟଣା ବ୍ଳକର ଦୁଇଟି ପଞ୍ଚାୟତର ଗାଁ ଗାଁରେ ନୂତନ ସମ୍ଭାବନାର ଛବି ଆଙ୍କି ଦେଇଛି।
ସାଧାରଣ ଜନତା ବିଧାୟକ ମୌଷଧି ବାଗଙ୍କ ନିର୍ମଳ ଭାବମୂର୍ତ୍ତି, ଜନତାଙ୍କ ସେବା ଓ ଦୃତ ବିକାଶ ଯୋଗୁଁ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ପୁଣିଥରେ ବିଧାୟକ ଭାବେ ଦେଖିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଏପଟେ ଆଗକୁ ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇ ଉଠିଛି। ବିଜୁ ଜନତା ଦଳ ଏଠାରେ ଗଡରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରୁଥିବାବେଳେ ବିଜେଡ଼ିର ଗଡ଼ ଅଧିକାର କରିବାକୁ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଛକି ବସିଛନ୍ତି। ଏପରି ସ୍ଥିତିରେ ସବୁ ଦଳରେ ଅନେକ ଟିକଟ ଆଶାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଧିରେ ଧିରେ ଗୋଷ୍ଠୀ କନ୍ଦଳ ଦେଖାଯାଉଛି। ଏପଟେ ବିଧାୟକ ମୌଷଧି ବାଗ ଏସବୁଠାରୁ ବହୁ ଦୂରରେ ରହି ନିର୍ବିକାର ଭାବରେ ଜନତାଙ୍କ ସେବା କରି ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇ ଅଞ୍ଚଳର ବିକାଶ କରିବା ଛଡା ଆଉ କୋୖଣସି ଦିଗରେ ତାଙ୍କର ବିଶେଷ ଧ୍ୟାନ ନଥିବା ପ୍ରତୀୟମାନ ହେଉଛି। ତାଙ୍କ ସମୟରେ ଗାଁ ଗାଁକୁ ପକ୍କାରାସ୍ତା, ବିଜୁଳି, ବିଶୁଦ୍ଧ ପାନୀୟଜଳ, ବିଦ୍ୟାଳୟ ରୂପାନ୍ତିକରଣ, ଧାର୍ମିକ ପୀଠସ୍ଥଳୀର ଉନ୍ନତି, ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ, ଗୋଷ୍ଠୀ ଗୃହ ନିର୍ମାଣ, କ୍ରୀଡ଼ା ଓ ସଂସ୍କୃତିର ପୁନଃରୁଦ୍ଧାର, ବିଜୁ ସେତୁ, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ, ପଞ୍ଚାୟତସ୍ତରରେ କୃଷି ସମବାୟ ସମିତି, ଆମ ବ୍ୟାଙ୍କ, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଆଦି ଅନେକ କାର୍ଯ୍ୟ ସାଧିତ ହୋଇଛି। ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ବିକାଶ ଶିଖର ଛୁଇଁ ଥିବାରୁ ସାଧାରଣ ଜନତା ବିଜେଡ଼ି ପ୍ରତି ପୁଣି ଆସ୍ଥା ପ୍ରକଟ କରିବାର ସମ୍ଭାବନା ଜଳ ଜଳ ହୋଇ ଦେଖାଯାଉଛି। ତେଣୁ ପୁଣିଥରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଶଙ୍ଖ ଧ୍ୱନି ହୋଇପାରେ ଓ ବିଜୁ ଜନତା ଦଳ ପ୍ରାର୍ଥୀ ପୁନଃ ବାଜିମାତ କରି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.