ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଚ଼ାଲିଥିବା ଧାରଣା ଅଷ୍ଟମ ଦିନରୁ ରହିଲା ସ୍ଥଗିତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ଓ ସ୍ୱାଭିମାନର ବିକାଶ ନିମନ୍ତେ ସର୍ବଦା ଚ଼େଷ୍ଟିତ ଓଏସଇଏଫଡ଼ି (OSEFD) ଓ‌ ଓଏସଏସଇଟିଏ (OSSETA) ସଂଘର‌ ମିଳିତରେ ଗଠିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଫେବୃୟାରୀ ୯ ତାରିଖ ଠାରୁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଧାରଣା  ଚ଼ାଲୁଥିଲା। ଏହାରି ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚ଼ନା ସନ୍ତୋଷଜନକ ନ ଥିବାରୁ ଶୁକ୍ରବାର ଅଷ୍ଟମ ଦିନର ଧାରଣାରେ ବସିଥିଲେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016,RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌କୁ ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରୁଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆଶ୍ଚର୍ଯ୍ୟଜନକ। ପୋଲିସ ପ୍ରଶାସନ‌ ପକ୍ଷରୁ ଶୁକ୍ରବାର ସେମାନଙ୍କୁ ଧାରଣାରୁ ଉଠାଇଛନ୍ତି। ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି – ‘ଗଣତନ୍ତ୍ରରେ‌ ନିଜ ହକ୍ ଓ ଅଧିକାର ପାଇଁଁ ଧାରଣା ଦିଅନ୍ତି‌ କିନ୍ତୁ ଏଠି ପୋଲିସ ପ୍ରଶାସନ ଦ୍ବାରା ଆମକୁ ଧାରଣା ସ୍ଥଳ‌ରୁ ଉଠାଇବା କେଉଁ ପ୍ରକାର ନ୍ୟାୟ, ତାହା ଏବେ ସବୁଠାରୁ ପ୍ରଶ୍ନବାଚ଼ୀ। ଏହି ପରିପ୍ରେକ୍ଷୀରେ ଆମେ ରାଜ୍ୟ ସରକାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ କ୍ଷୋଭ ପ୍ରକାଶ କରିବା ସହ ଧାରଣାକୁ ସାମୟିକ ସ୍ଥଗିତ ରଖୁଛୁ। ଯଦି ସରକାର ଏହି କିଛି ଦିନ ମଧ୍ୟରେ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର ନ କରନ୍ତି, ତାହାଲେ ଆମେ ପୁଣି ରାଜରାସ୍ତାରେ ଧାରଣାରେ ବସିବୁ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.