ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଆଇଏମଆଇ  ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଆଗାମୀ ଦିନରେ ପରାମର୍ଶ, ସହଭାଗୀତା ଏବଂ ସହଯୋଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଏବଂ ନୂତନତା ଆସିବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ବର ଏବଂ ଇନ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର କ୍ୟାମ୍ପସରେ ପାରସ୍ପରିକ ସମନ୍ଵିତ ବିକାଶ ସହ ଅନୁସନ୍ଧାନ, ସହଯୋଗ ଏବଂ ତାଲିମ ପାଇଁ ଏକ ଏମଓୟୁ ସ୍ୱାକ୍ଷର ହୋଇଯାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟ, ନ୍ୟାକ୍ ଦ୍ବାରା ‘ଏ’ ଗ୍ରେଡ ସ୍ବୀକୃତିପ୍ରାପ୍ତ ରାଜ୍ୟର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଯାହାକି ଆନ୍ତଃବିଭାଗୀୟ ଧ୍ୟାନ, ଦୃଢତାର ସହ ବିଭିନ୍ନ ଗୋଷ୍ଠୀ ସମ୍ପ୍ରଦାୟର ସାମଗ୍ରିକ ବିକାଶ କ୍ଷେତ୍ରରେ ଯୋଗଦାନ ରଖିଥାଏ ଏବଂ ନୂତନତ୍ୱ ସହିତ ଉତ୍କର୍ଷଲାଭ ସଂସ୍କୃତି ଏହି ବିଶ୍ବବିଦ୍ୟାଳୟର ଏକ ସ୍ବତନ୍ତ୍ରତା ରହି ଆସିଛି। ଅନ୍ୟ ପକ୍ଷରେ ୨୦୧୧ରେ ପ୍ରତିଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇ.ଏମ.ଆଇ) ହେଉଛି ଏକ ଯୁବ ଅନୁଷ୍ଠାନ ଯାହାକି ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସନାଲ ଇନଷ୍ଟିଚ୍ୟୁଟନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ ଆଇ ଆର ଏଫ) ୨୦୨୩ ରେ ୬୭ତମ ମାନ୍ୟତା ହାସଲ କରିସାରିଛି ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସହ ଉପସ୍ଥିତ ପ୍ରତିନିଧିମଣ୍ଡଳୀରେ କୁଳସଚିବ ଶ୍ରୀମତୀ କୁକୁମିନା ଦାସ, ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ସିଣ୍ଡିକେଟର ସଦସ୍ଯ ତଥା ଲାଇବ୍ରେରୀ ନିର୍ଦ୍ଦେଶକ ପ୍ରଫେସର ସୁର୍ଯେନ୍ଦୁ କୁମାର ଦେ ଓ ବ୍ୟବସାୟ ପରିଚାଳନା ବିଭାଗ ମୁଖ୍ଯ ଡ଼କ୍ଟର ପଦ୍ମଲିତା ରାଉତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ ନିଦ୍ଦେର୍ଶକ ରମେଶ ବେହେଲଙ୍କ ନେତୃତ୍ୱରେ କୁଳପତି ପ୍ରଫେସର ତ୍ରିପାଠୀ ଓ ପ୍ରତିନିଧିଗଣଙ୍କୁ ତାଙ୍କ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା ଦଳ ସହିତ ଆଇ.ଏମ.ଆଇ କ୍ୟାମ୍ପସକୁ ସ୍ୱାଗତ କରିଥିଲେ। ବରିଷ୍ଠ ପ୍ରଫେସର ସୁପ୍ରୀତି ମିଶ୍ର, ପ୍ରଫେସର ମନିତ ମିଶ୍ର, ପ୍ରଫେସର ରାମକୃଷ୍ଣ ପାଣିଗ୍ରାହୀ ଏବଂ ସେମାନଙ୍କ ଅଧ୍ୟାପକ ଅଧ୍ୟାପିକାମାନେ ଉକ୍ତ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ସମାରୋହରେ ଆଇ.ଏମ.ଆଇ.ର ଅଧ୍ୟାପକ ଅଧ୍ୟାପିକା ଓ ଆଇଏମଆଇର ନିର୍ଦ୍ଦେଶକଙ୍କ ସହ କୁଳପତି ପ୍ରଫେସର ତ୍ରିପାଠୀଙ୍କ ଉପସ୍ଥିତିରେ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା। ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟୋଗୀ ଏବଂ ଇନକ୍ୟୁବେସନ କାର୍ଯ୍ୟକଳାପ, ଅନୁସନ୍ଧାନ ସହଯୋଗ, ମିଳିତ ସମ୍ମିଳନୀ / ସେମିନାର / କର୍ମଶାଳା / ତାଲିମ କାର୍ଯ୍ୟକ୍ରମ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ଉଭୟ କର୍ତ୍ତୃପକ୍ଷ ସହମତି ପ୍ରଦାନ କରିଥିଲେ। ଆଗାମୀ ବର୍ଷଗୁଡିକରେ ପରାମର୍ଶ, ସହଭାଗୀତା ଏବଂ ସହଯୋଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଏବଂ ନୂତନତା ଆଣିବା ପାଇଁ ଏହି ବୁଝାମଣାପତ୍ର ଏକ ଅନୁକ୍ରମଣିକା ହେବ ବୋଲି ଆଶାପୋଷଣ କରାଯାଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.