ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ୨ ଦିନଧରି ‘ଆମ ସଂସ୍କୃତି ଆମ ଖେଳନା’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟ ଭଟାଙ୍ଗପଦର ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଠ ମୂର୍ତ୍ତିକାର ପ୍ରଭାସ କୁମାର ମିଶ୍ର, ମେରିଲିନ ସୁଧାଂଶୁମୟୀ ମହାନ୍ତି, ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ ପ୍ରମୁଖ ଉଦ୍ଘାଟନ କରିବା ଅବସରରେ କର୍ମଶାଳା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନି କୁନି ପିଲାମାନଙ୍କୁ ଖେଳନା ମାଧ୍ୟମରେ ପାଠ ପଢାଇବା ଉଦ୍ଦେଶ୍ୟରେ ଏହି କର୍ମଶାଳା ସମସ୍ତ କ୍ଲଷ୍ଟରରେ ଆୟୋଜିତ ହୋଇ ଆସୁଛି। ଛାତ୍ରଛାତ୍ରୀଙ୍କ ପାଠପଢାକୁ ଆନନ୍ଦ ଦାୟକ, ଆଗ୍ରହପୂର୍ଣ୍ଣ କରିବା ସହ ପିଲାମାନେ କିପରି ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ କିପରି ସ୍ୱଳ୍ପ ମୂଲ୍ୟରେ ଓ ବିନାମୂଲ୍ୟରେ ଶିକ୍ଷାଦାନ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ ସେ ସଂପର୍କରେ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ଏବଂ ମାଟି ମୂର୍ତ୍ତି ତଥା ଖେଳଣା ପ୍ରସ୍ତୁତି କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ସଂସ୍କୃତ ବିଭାଗ ପ୍ରାଧ୍ୟାପକ ଡ଼. ନିରଞ୍ଜନ ଶବର , ମୁଖ୍ୟ ବକ୍ତା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ମେଜର ଡ଼. ଜୟଦେବ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲାଞ୍ଜିଗଡ ନମିତା ରାଣୀ ଭୋଇ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଭଟାଙ୍ଗପାଦର ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଏବଂ ଅନୁଷ୍ଠାନରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପାଇଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ମଶାଳାରେ ଶିକ୍ଷକ ପ୍ରଶିକ୍ଷକ ଇଶ୍ୱର ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳ ଦେବ ମୁଣ୍ଡ , ଭାରତ ଭୂଷଣ ସାହୁ, ଲକ୍ଷ୍ମୀ ପ୍ରିୟା ମୁଦୁଲି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝଷକେତନ ପଧାନ ତଥା ଭଟାଙ୍ଗପଦର କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ। ଶିବ ପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।