ଦୁର୍ଘଟଣାର ହବ ପାଲଟିଛି ନାର୍ଲା ଚାରିଛକ ବୁଲାଣି

ଦେଶୀ ମଦଭାଟି ଯୋଗୁଁ ମଦୁଆଙ୍କ ବେପରୁଆ ଗାଡିଚାଳନା ରହିଛି ପ୍ରମୁଖ କାରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ଦିନକୁ ଦିନ ବ୍ୟସ୍ତ ବହୁଳ ଅଞ୍ଚଳ ପାଲଟି ସାରିଥିବା ବେଳେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚଳପ୍ରଚଳ ହେଉଛି। ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ ଏହି ଛକରେ ଟ୍ରାଫିକର ବ୍ୟବସ୍ଥା କରି ପାରୁନି ପ୍ରଶାସନ। ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢିବା ସହିତ ଦୁର୍ଘଟଣା ଯୋଗୁଁ ଧନ ଜୀବନ ହାନୀ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏକ ଆକଳନରୁ ଜଣା ପଡିଛି ଗତ ୫ ବର୍ଷ ମଧ୍ୟରେ ୨୯ ଗୋଟି ଦୁର୍ଘଟଣା ଏହି ଚାରିଛକରେ ସଂଘଟିତ ହୋଇଥିବା ବେଳେ ଏଥିରେ ଦୁଇ ଜଣଙ୍କ ପ୍ରାଣ ହାନୀ ମଧ୍ୟ ଘଟିଥିବା ନଜୀର ରହିଛି। ବିଶେଷ କରି ନର୍ଲାରୋଡ ହନୁମାନ ମନ୍ଦିର ଛକ ଦେଇ ମଦ ଭାଟି ରାସ୍ତାରେ ନର୍ଲା ଚାରିଛକକୁ ଆସୁଥିବା ରାସ୍ତାର ଚାରିଛକ ନିକଟସ୍ଥ ବୁଲାଣିରେ ଗତ ୫ ବର୍ଷ ମଧ୍ୟରେ ୧୮ ଗୋଟି ଦୁର୍ଘଟଣା ଘଟି ସାରିଲାଣି। ଆଉ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଲଗାତାର ଦୁଇଗୋଟି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଫେବୃୟାରୀ ୧୨ ସୋମବାର ଏହି ବୁଲାଣିରେ ନର୍ଲାରୋଡ ପଟୁ ଆସୁଥିବା ବାଇକ ଓ ଚାରିଛକରୁ ଯାଉଥିବା ବାଇକ ମଧ୍ୟରେ ମହାଁ ମୁହିଁ ଧକ୍କାରେ ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଦ୍ୟାବଧି ସେମାନଙ୍କ ଅବସ୍ଥା ସଂକଟାପନ୍ନ ବୋଲି ଖବର ମିଳୁଛି। ଅନ୍ୟପକ୍ଷେ ଗତ ଶୁକ୍ରବାର ସଂଘଟିତ ଆଉ ଏକ ଦୁର୍ଘଟଣାରେ ନର୍ଲାରୋଡ ପଟୁ ମଧ୍ୟାହ୍ନ ଗୋଟାଏ ବେଳେ ଯାଉଥିବା ଏକ ପଲସର ବାଇକ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନ ନଂ-ଓଆର ୦୮ ଏଫ୍ ୮୧୮୯ ଗାଡି ସହ ଉକ୍ତ ବୁଲାଣିରେ ମୁହାଁ ମୁହିଁ ଧକ୍କା ହୋଇ ବାଇକଟି ଭ୍ୟାନର ଚକ ତଳକୁ ଚାଲି ଯାଇଥିଲା। ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଚାରିଛକ ନିକଟସ୍ଥ ଉକ୍ତ ବୁଲାଣିଟି ନର୍ଲା ଦେଶୀ ମଦ ଭାଟିର ଅନତି ଦୂରରେ ରହିଥିବାରୁ ବାଇକ ଆରୋହୀ ମଦୁଆ ମାନଙ୍କ କ୍ଷୀପ୍ର ଗତିରେ ବେପରୁଆ ଗାଡି ଚାଳନା ମଧ୍ୟ ଚାରିଛକ ସ୍ଥିତ ଏହି ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହେଉଥିବା ଏହି ଦୁର୍ଘଟଣା ହବରେ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ପ୍ରଶାସନ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଚାରିଛକରେ ସଂଘଟିତ ହେଉଥିବା ବାରମ୍ବାର ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ପ୍ରଶାସନ କେବେ ନେଉଛି ପଦକ୍ଷେପ ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.