ଆର୍ଥିକ ସହଯୋଗ ପାଇଁ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲା ୮ ବର୍ଷର ଶିଶୁ 

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସହଯୋଗ

ରୋହେନପଦର ବେଆଇନ ପଥର ବ୍ଲାଷ୍ଟିଙ୍ଗ ଦୁର୍ଘଟଣା ମାମଲା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବହୁ ଚର୍ଚ୍ଚିତ ରୋହେନପଦର ଗାଁର ବେଆଇନ ପଥର ବ୍ଲାଷ୍ଟିଙ୍ଗ ଘାଟଣାର ଶିକାର ହୋଇଥିବା ଡୋଳାନନ୍ଦ ମାଝୀଙ୍କର ୮ ବର୍ଷର ଶିଶୁ ପୁତ୍ର ଆର୍ଥିକ ସହାୟତା ପାଇଁ ନୂଆପଡା ଜିଲ୍ଲପାଳଙ୍କର ଦ୍ୱାରସ୍ଥ ହୋଇଛି। ସେ ନିଜର ବଡବାପା ଗୋପାଳ ମାଝୀ ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆପଡା ବ୍ଲକ ସଭାପତିଙ୍କ ସହଯୋଗ ଫଳରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଏକ ଲିଖିତ ନିବେଦନ ପତ୍ର ପ୍ରଦାନ କରିଛି। ପ୍ରକାଶ ଯେ, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ପଞ୍ଚାୟତ ରୋହେନପଦର ଗାଁରେ ଥିବା ଏକ ବେଆଇନ ପଥର ଖଣିରେ ଚଳିତ ମାସ ୭ ତାରିଖ ଗୁରୁବାର ରାତିରେ ବ୍ଲାଷ୍ଟିଙ୍ଗ କରାଯାଇଥିଲା। ଯାହାଫଳରେ ସେହି ପାଖ ଅଂଚଳରେ ନିଜର ଜମିର ମୁଗ ଚାଷ ଜଗିବାକୁ ଯାଇଥିବା ଉକ୍ତ ଗାଁର ରୂପଧର ମାଝୀଙ୍କ ପୁଅ ଡୋଳାନନ୍ଦ ମାଝୀ (୫୦)ଙ୍କ ମୁଣ୍ଡ ଉପରେ ଅନେକ ପଥର ପଡି ଗଭୀର ଆଘାତ ଲାଗିଥିଲା। ଏହାଦ୍ୱାରା ଡୋଳାନନ୍ଦଙ୍କର ଦୁଇ ଗୋଡ଼ ଓ ବାମ ହାତ ଭାଙ୍ଗି ଯାଇ ରକ୍ତାକ୍ତ ହୋଇଯାଇଥିଲା। ସେଠାରୁ ତାଙ୍କୁ ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ଉଦ୍ଧାର କରି ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ହେବାରୁ ତାଙ୍କୁ ରାୟପୁର ସ୍ଥିତ ଏକ ଘରୋଇ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ତେବେ ବେଆଇନ ଭାବେ ପଥର ଖଣି ଚଳାଉଥିବା ରଘୁନାଥ ଭୋଇ ଓ ବୈଷ୍ଣବ ହଂସଙ୍କ ବିରୋଧରେ ୮ ଦିନ ହେବ ଖଡ଼ିଆଳ ଥାନାରେ କେସ ରେଜିଷ୍ଟ୍ରେସ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହା ସହିତ ଡୋଳାନନ୍ଦ ମାଝୀ ଜଣେ ନିହାତି ଗରିବ ଶ୍ରେଣୀ ବ୍ୟକ୍ତି ତାଙ୍କର ସ୍ତ୍ରୀ ଏବଂ ଦୁଇ ପୁଅ ହରିଦେଶର ମାଝୀ (୮) ନେହେରୁ ମାଝୀ (୧୨) ଓ ଝିଅ ଦୀପାଞ୍ଜଳି ମାଝୀ (୧୪) ସମ୍ପୂର୍ଣ ଭାବେ ତାଙ୍କର ଉପରେ ନିର୍ଭରଶୀଳ ଅଟନ୍ତି। ବାପା ଡୋଳାନନ୍ଦ ରାୟପୁରର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଏହି ୮ ବର୍ଷର ଶିଶୁ ପୁତ୍ରଟି ବାପାଙ୍କର ଓ ପରିବାରର ଭରଣ ପୋଷଣ ଗୁହାରି ନେଇ ଜିଲ୍ଲପାଳଙ୍କୁ ସାକ୍ଷାତ କରିବା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବେଆଇନ ଖଣିକୁ ଜିଲ୍ଲାପ୍ରଶାସନ ତୁରନ୍ତ ସିଲ କରିବାକୁ ଏବଂ ଆହତ ଡୋଳାନନ୍ଦଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛି ନଚେତ ଆନ୍ଦୋଳନର ପ୍ରସ୍ତୁତି ହେବ ବୋଲି ଚେତାବନୀ ମଧ୍ୟ୍ୟ ଦେଇଥିବା ସୂଚନା ମିଳିଛି। ଗରିବ ଆଦିବାସୀଙ୍କୁ ଜିଲ୍ଲାର କୌଣସି ସ୍ଥାନରେ ସାମ୍ମନ ମିଳୁନି ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅନେକ ମୌଳିକ ସୁବିଧାରୁ ସବୁବେଳେ ବଞ୍ଚିତ କରୁଛନ୍ତି ବୋଲି ଆଦିବାସୀ କଲ୍ୟାଣ ସଂଘ ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ ପ୍ରକାଶ କରିଛନ୍ତି। ତେବେ ଏହି  ୮ ବର୍ଷର ଶିଶୁ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧାରୁଆ, ଗୋପାଳ ମାଝୀ, ଚେତୁରାମ ମାଝୀ, ସୁନ୍ଦର ମାଝୀ, ଭଜମନ ବିଶି, ଡୋଳାମଣି ବାରିକ, ଇଶ୍ୱର ଲାଲ ବିଶି, ବୀର ସିଂ ମାଝୀ, ନନ୍ଦ ବିଶି, କୈବଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.