‘ହାର୍ଦ୍ଦିକ ପାଣ୍ଡ୍ୟା କଣ ଚନ୍ଦ୍ର ପୃଷ୍ଠରୁ ଆସିଛନ୍ତି’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିୟମର ମାପଦଣ୍ଡ ସମସ୍ତ ଖେଳାଳିଙ୍କ ପାଇଁ ସମାନ ହେବା ଉଚିତ । ଫେବୃୟାରୀରେ ସେଂଟ୍ରାଲ କଂଟ୍ରାକ୍ଟ ମାଧ୍ୟମରେ ବୋର୍ଡ ସ୍ପଷ୍ଟ ଭାବେ ଖେଳାଳିମାନଙ୍କୁ ସୂଚେଇ ଦେଇଛି ଯେ, ରାଷ୍ଟ୍ରୀୟ ଡ୍ୟୁଟିରେ ନ ଥିବା ବେଳେ ଘରୋଇ କ୍ରିକେଟ ପାଇଁ ଉପଲବ୍ଧ ହେବା ଆବଶ୍ୟକ । ପରେ ଏହି ଆଦେଶକୁ ନ ମାନିବା ଫଳରେ ଈଶାନ କିଶାନ ଓ ଶ୍ରେୟାଶ ଆୟାର ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଥିଲେ । ଏହା ପରେ ଅବଶ୍ୟ ଆୟାର ରଣଜୀ ଟ୍ରଫି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିଥିଲେ । ଈଶାନ କିନ୍ତୁ ଝାରଖଣ୍ଡ ପକ୍ଷରୁ କୌଣସି ମ୍ୟାଚ ଖେଳି ନାହାନ୍ତି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଘରୋଇ କ୍ରିକେଟ ନ ଖେଳିବା ସତ୍ୱେ ସେଂଟ୍ରାଲ କଂଟ୍ରାକ୍ଟରେ ରହିବାକୁ ଅନେକ ନାପସନ୍ଦ କରିଛନ୍ତି । ପ୍ରବୀଣ ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ହାର୍ଦ୍ଦିକ କଣ ଚନ୍ଦ୍ର ପୃଷ୍ଠରୁ ଆସିଛନ୍ତି । ତାଙ୍କ ପାଇଁ କାହିଁକି ଅଲଗା ନିୟମ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ୨୦୨୩ ଦିନିକିଆ ବିଶ୍ୱକପରୁ ବାଦ ପଡିବା ପରେ ଆଉ କ୍ରିକେଟ ଖେଳି ନାହାନ୍ତି । ଏବେ ଫିଟ ହେବା ପରେ ଡିୱାଇ ପାଟିଲ ଟି୨୦ କପରେ ଖେଳିଛନ୍ତି । କେବଳ ଟି୨୦ରେ ସେ କାହିଁକି ଖେଳିବେ, ଯଦି ଖେଳିବାକୁ ଅଛି ଘରୋଇ କ୍ରିକେଟର ୩ଟି ଯାକ ଫର୍ମାଟରେ ଖେଳନ୍ତୁ । ଯଦି ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି ତେବେ ବିସିସିଆଇକୁ ଲେଖିକରି ଦିଅନ୍ତୁ । ହାର୍ଦ୍ଦିକ ୨୦୨୪ ଆଇପିଏଲରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.