ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶିବାହାଲ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଡୋକରୀଙ୍କ ମଙ୍ଗଳବାର ଚୈତ୍ର ଯାତ୍ରା ବା ପାହାଡ଼ ଯାତ୍ରା ପାଳିତ ହୋଇଯାଇଛି। ଗ୍ରାମ ନିକଟରେ ଥିବା ଡୋକରୀ ପାହାଡ଼ ଉପରେ ମା’ଙ୍କ ଯାତ୍ରା ପର୍ବ ପାଳିତ ହେଉଥିବା ବେଳେ ଅନ୍ୟ ସ୍ଥାନର ଚୈତ୍ର ଯାତ୍ରାରୁ ଟିକେ ଭିନ୍ନତା ରହିଛି। ଏଥିପାଇଁ ଯାତ୍ରାରେ କାଶୀବାହାଲ ସମେତ ତା’ର ଆଖପାଖ ଗାଁରୁ ମଧ୍ୟ ଶହ ଶହ ଲୋକଙ୍କ ସମାଗମ ହୋଇଥାଏ। ଦେବୀଙ୍କ ଚୈତ୍ରଯାତ୍ରା ବର୍ଷକୁ ଥରେ ହେଉଥିବାବେଳେ ମାନସୀକଧାରି ଭକ୍ତମାନେ ମା’ଙ୍କ ନିକଟରେ ଶୁକ୍ଳ ଓ ରକ୍ତ ଭୋଗରେ ବଳୀ ପ୍ରଦାନ କରିଥାନ୍ତି। ମା’ଙ୍କ ଉପରେ ଅଞ୍ଚଳର ଲୋକେଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ଏଥିପାଇଁ ଭକ୍ତି ସହକାରେ ଯାହା ପ୍ରାର୍ଥନା କରାଯାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଗାଁ ପୁଝାରୀ ବିକ୍ରମ ପୁଝାରୀ, ଶିରା ମୋତିରାମ ଲହଜଲ, ସୁଶାନ୍ତ ଚଣ୍ଡି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମ୍ୟ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ଚମ୍ପେଶ୍ବର ଚଲାନ, ଲୋକନାଥ ଚଣ୍ଡୀ, ଜଳନ୍ଧର ପାଲି, ଜତିନ୍ଦ୍ର ଦଲେଇ, ରାମେଶ୍ବର ଲହଜଲ, ଅଭିମନ୍ୟୁ ପାଲି, ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ, କୃପା ନାଏକ, ବଳରାମ ଚଣ୍ଡି ସମେତ ପ୍ରମୁଖ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। ଯାତ୍ରା ପ୍ରାରମ୍ଭରେ ଗ୍ରାମ୍ୟ ପୁଝାରୀଙ୍କ ଘରୁ ଡୋକରୀ ଦେବୀ ସମେତ ବିଭିନ୍ନ ଦେବାଦେବୀଙ୍କ ଲାଠି ପାହାଡ଼ ଶିଖରରେ ପହଞ୍ଚି ଥିଲେ।