ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧଦେବ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି। ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ। ନିରବତା ଓ ନିସ୍ତବ୍ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି।
ଇତିହାସ ଅନୁସାରେ ଗୌତମ ବୁଦ୍ଧଙ୍କ ଜନ୍ମ ସେ ଖ୍ରୀ. ପୂ ୫୬୭ (ମତାନ୍ତର) ରେ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା। ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ। ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବାସ୍ତୁଠାରେ।
କପିଳାବାସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା। ଗୌତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ। ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ। ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କ ଦ୍ଵାରା ପରିପାଳିତ ହୋଇ ଥିଲେ। ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲେ। ସେ ସଂସାରବିରାଗୀ ଥିଲେ। ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ। ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା। ଏସବୁ ସତ୍ତ୍ଵେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା। କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ। ମନୁଷ୍ୟର ଜନ୍ମ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଖଃରେ ଅଭିଭୂତ ହୋଇପଡ଼ିଲେ। ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ। ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ସନ୍ୟାସୀଙ୍କୁ ଦେଖିଲେ। ସନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗ କରିଥିଲେ।
ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ପରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା। ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରୁ ବ୍ରହ୍ମଦେଶ ଏବଂ ଦକ୍ଷିଣରେ ସିଂହଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣବଂଶର ଶ୍ରେଷ୍ଠସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ଦତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା। ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି କରିଥିଲା। ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା।ରାଜା ମହାରାଜାମାନଙ୍କ ଦ୍ଵାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତିଗୁଡିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇ ତାହା ବୌଦ୍ଧ ଧର୍ମର ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା। ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ।