ଯୋଗାଣ ଅଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଶାନ୍ତପୁର ଅଞ୍ଚଳର ଚାଷୀ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶାନ୍ତପୁର ପ୍ୟାକ୍ସ ଅଧିନସ୍ଥ ଶାନ୍ତପୁର, ବଡଧାରପୁର, ଉଲିକୁପା, ନିଶାଣପୁର ପ୍ରଭୃତି ପ୍ୟାକ୍ସ ଅଧିନସ୍ଥ ଚାଷୀ ମାନେ ମଣ୍ଡି ଗୁଡ଼ିକରୁ ଧାନ ଉଠୁ ନଥିବାରୁ ଶାନ୍ତପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଗୋହିରା ପଦର ର ବିଶିଷ୍ଟ ଚାଷୀ ଟିକେଧର ସାହୁ ଙ୍କ ନେତୃତ୍ବରେ ପୂର୍ବତନ ସରପଞ୍ଚ ନୃପରାଜ ବିଶ୍ବାଳ, ମଜଦୁର ସଂଘ ରାଜ୍ଯ ସଭାପତି ବିଶ୍ବ ରଞ୍ଜନ ସା, କିଶୋର ଚନ୍ଦ୍ର ବିଶ୍ଵାଳ, ସୁରେଶ ତାଣ୍ଡି, ଶରତ ଚନ୍ଦ୍ର ପଧାନ, ତୁଳସୀ ରାମ ସାହୁ, ଆବାସ ସା ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଚାଷୀ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଏବଂ ଏଆରସିଏସଙ୍କୁ ଭେଟି ଶାନ୍ତପୁର ପ୍ୟାକ୍ସ ଅଧିନସ୍ଥ ଶାନ୍ତପୁର, ବଡଧାରପୁର, ଉଲିକୁପା ଓ ନିଶାଣପୁର ମଣ୍ଡିଗୁଡ଼ିକରୁ ଧାନ ଉଠୁନଥିବାରୁ ଏବଂ ମଣ୍ଡି ଗୁଡିକ ସହିତ ଟ୍ୟାଗ ହୋଇଥିବା ୧୧ ଗୋଟି ମିଲ ମଧ୍ୟରୁ ନର୍ଲାରୋଡ କହ୍ନେଇଆ ଏଗ୍ରୋ, ବୁଢୀପଦର ରାମାନୁଜ ଏଗ୍ରୋ ଏଵଂ ସ୍ଥାନୀୟ ଆଉ ଦୁଇଗୋଟି ମିଲର୍ସ ହିଁ ରୀତିମତ ଗାଡି ପଠାଉଥିବା ବେଳେ, କେସିଙ୍ଗା ରାଇସ ମିଲ ଗୁଡିକ ଧାନ ନେବା ପାଇଁ ମଣ୍ଡି କୁ ଗାଡି ପଠାଉ ନଥିବାରୁ ମଣ୍ଡି ଗୁଡ଼ିକରୁ ଧାନ ଉଠି ପାରୁନି। ମିଲର୍ସ ମନ ମାନି କରୁଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ରବିଧାନ କ୍ରୟ ପାଇଁ ଉପରୋକ୍ତ ତିନିଗୋଟି ସ୍ଥାନରେ ୨୦ ମଇ ରୁ ମଣ୍ଡି ଖୋଲି ଆଜକୁ ୧୭ ଦିନ ମଧ୍ୟରେ ମାତ୍ର ୮,୦୦୦ କ୍ଵିଣ୍ଟାଲ ଧାନ ହିଁ ଉଠିଛି। ହେଲେ ଆକଳନରୁ ଜଣା ପଡିଛି ରେତ ଜଳସେଚନ କେନାଲ ପାଣି ଲାଗୁଥିବା ଉପରୋକ୍ତ ତିନିଗୋଟି ପ୍ୟାକ୍ସ ଅଧିନସ୍ଥ ଅଞ୍ଚଳରେ ୩,୦୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ଚାଷ ହୋଇ ୮୦,୦୦୦ କ୍ୱିଣ୍ଟାଲ ଧାନ ଅମଳ କରିଛନ୍ତି ଚାଷୀ। ଏମିତି ଯଦି କଛପ ଗତିରେ ମଣ୍ଡି ଚାଲେ ତେବେ ଚାଷୀଙ୍କ ୮୦,୦୦୦ କ୍ଵିଣ୍ଟାଲ ଧାନ କେବେ ଉଠିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ମଣ୍ଡି ଆରମ୍ଭ ଦିନ ୨୦ ମଇ ରେ ଟୋକନ ପାଇଥିବା ଚାଷୀଙ୍କ ଧାନ ଏଯାଏଁ ଉଠି ପାରିନି। ଲେପ୍ସ ହେବାକୁ ବସିଲାଣି ଟୋକନ ସବୁ। ଅନ୍ୟପକ୍ଷେ ପ୍ରତ୍ୟହ ସନ୍ଧ୍ୟା ହେଲେ କାଳ ବୈଶାଖୀ ତାଣ୍ଡବ ରେ ବର୍ଷା ହେଉଛି। ଚାଷୀ ଧାନ ରଖିବା ପାଇଁ ଘରେ ଜାଗା ନାହିଁ। ମଣ୍ଡିରେ ଆଣି ଧାନ ପକେଇ ମଣ୍ଡିରେ ୧୫ ଦିନ ହେଲା ରାତି କାଟୁଛି ଚାଷୀ। ନୂଆ ସରକାର ଅମଳରେ ଚାଷୀଙ୍କ ଦୁଃଖ ଯିବ ବୋଲି ଚାଷୀ ଆଶା ବାନ୍ଧି ବସିଥିଲେ। ହେଲେ ସବୁ ଫସର ଫାଟିଲା। ଚାଷୀ ଙ୍କ ଦୁଃଖ ର ଅନ୍ତ ଘଟୁନି। ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଏବଂ ଏଆରସିଏସ ଆମେ ଖୁବ ଶୀଘ୍ର ଏନେଇ ମିଲର୍ସ ଙ୍କୁ ନୋଟିସ କରି ଦୃଢ଼ ପଦକ୍ଷେପ ନେବୁ ବୋଲି ଚାଷୀଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି। ଇନ୍ଦ୍ର ଦେବ ଯଦି ଦୟାକଲେ, ଠିକ ସମୟରେ ଯଦି ବର୍ଷା ହେଲା ତ ଠିକ। ନହେଲେ ବର୍ଷକର ପରିଶ୍ରମ ବୃଥା ହୋଇଥାଏ। ଧାର କରଜ କରି ଚାଷ କରିଥିବା ଚାଷୀ ଆତ୍ମହତ୍ୟା କରିଥାନ୍ତି ନତୁବା ଦାଦନ ଖଟିବାକୁ ବାଧ୍ୟ ହୋଇଥାନ୍ତି। ନର୍ଲା ବ୍ଲକ ଅଞ୍ଚଳରେ ପ୍ରେଞ୍ଚୋ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ତୁଲାପଡା ବଣାମୁଡା, ଅସୁରଗଡ଼ ସୁନାମୁଖି ସାଗର, ରୁପ୍ରା ସାଗର ପାଇଁ ଅଳ୍ପ କିଛି ଅଞ୍ଚଳରେ ରବି ଧାନ ଚାଷ ହେଉଥିବା ବେଳେ ଗତ ୪ ବର୍ଷ ହେଲା ରେତ ଜଳ ସେଚନ ପ୍ରକଳ୍ପ ପାଇଁ ଶାନ୍ତପୁର, ବଡଧାରପୁର, ଉଲିକୁପା, ନିଶାଣପୁର ଓ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରବି ଧାନ ଚାଷ ହେଉଛି। ଏଥିରେ ମଧ୍ୟ ଧାନ ବିକିବା ପାଇଁ ଚାଷୀ ନାକେଦମ ହେଉଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଚାଷୀ ମହଲରେ ଦାବୀ ହେଉଛି।





