ଆମ୍ବ ବଗିଚାରେ ବିପଦ ସଂକୁଳ ୧୧ କେଭି ବିଦ୍ୟୁତ ତାର : ଜନ ଜୀବନ ପ୍ରତି ବିପଦ, ସମାଧାନ ଦାବି 

ଓଡ଼ିଆ ବାର୍ତ୍ତା/ ସଇଁତଲା: ସଇଁତଳା ବ୍ଲକ ଜୁରାବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖର୍ସେଲବାଞ୍ଜି ଗାଁର ବ୍ୟକ୍ତିଗତ ଜମିରେ ଥିବା ଘାସିରାମ ଖମାରୀଙ୍କ ଆମ୍ବ ବଗିଚାରେ ବିପଦ ସଂକୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ତାର ଥିବାରୁ ଜନ ଜୀବନ ପ୍ରତି ବିପଦ ରହିଛି। ସେହି ଆମ୍ବ ବଗିଚାରେ ପୂର୍ବରୁ ଟ୍ରାନ୍ସଫର୍ମର ଥିବାରୁ ବିଦ୍ୟୁତ ସଂଯୋଗ ହୋଇଥିଲା। କିନ୍ତୁ ବର୍ତ୍ତମାନ ଆଉ ସେହି ସ୍ଥାନରେ ଟ୍ରାନ୍ସଫର୍ମର ନ ଥିଲେ ମଧ୍ୟ ୧୧ କେଭି ବିଦ୍ୟୁତ ସଂଯୋଗ ହୋଇଛି, ତାହା କଟା ଯାଇ ନାହିଁ। ଏଣୁ ସେହି ସ୍ଥାନର ବିଦ୍ୟୁତ ସଂଯୋଗକୁ କଟାଯାଇ କିପରି ଏହାର ସ୍ଥାୟୀ ସମଧାନ ହେବ ଏଥି ନିମନ୍ତେ ବିଦ୍ୟୁତ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି। ପ୍ରକାଶ ଥାଉ କି ଏନେଇ ଉକ୍ତ ଆମ୍ବ ଚାଷୀ ଶ୍ରୀ ଖମାରୀ ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନାହାନ୍ତି। ୧୧ କେଭି ତାର ଗଛ ସଂସ୍ପର୍ଶରେ ଆସି ଆମ୍ବ ଗଛ ପୋଡି ଯାଇ ହଜାର ହଜାର ଟଙ୍କାର ଆମ୍ବ କ୍ଷୟ କ୍ଷତି ହେଉଥିବା ଉକ୍ତ ଚାଷୀ କ୍ଷତି ପୁରଣ ଦାବି କରିଛନ୍ତି। ବିଦ୍ୟୁତ ତାର ଆମ୍ବ ଗଛରେ ଲାଗି ଯାଉଥିବାରୁ ଡ୍ରଫର ଫିଉଜ ହୋଇ ଖର୍ସେଲବାଞ୍ଜି, ସାଇମରା, କଦଳିମୁଣ୍ଡା ଆଦି ଗାଁକୁ ଅନେକ ସମୟରେ ବିଦ୍ୟୁତ୍ ବିଛିନ୍ନ ହେଉଛି।ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହେଉଥିବାରୁ ପାଣି ମୁନ୍ଦାଏ ପିଇବା ପାଇଁ ଏବଂ ଗାଧୋଇବା ପାଇଁ ସମସ୍ୟା ହେଉଥିବା ଗ୍ରାମବାସି ପ୍ରକାଶ କରିଛନ୍ତି। ତେଣୁ ଏହାର ସ୍ଥାୟୀ ସମଧାନ କରିବାକୁ ଦାବି ହୋଇଛି। ଯଦି ବିଦ୍ୟୁତ ବିଭାଗ ଏହି ସମସ୍ୟାର ତୁରନ୍ତ ସମାଧାନ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.