ପ୍ରଥମଥର ପାଇଁ ବାଲେଶ୍ୱରେ ଅନୁଷ୍ଠିତ ହେଲା ଅନୁଭବଙ୍କ ଗ୍ରାଣ୍ଡ୍ ମ୍ୟୁଜିକ୍ ରିଲିଜ୍ ଶୋ : ରଜରେ ଧମାକା କରିବ ଫିଲ୍ମ ‘ଛକିଶୂନ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରଜ ପର୍ବକୁ ଆହୁରି ରଙ୍ଗୀନ କରିବା ପାଇଁ ରିଲିଜ୍ ଅପେକ୍ଷାରେ ଥିବା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ‘ଛକିଶୂନ’ର ପ୍ରଥମ ପ୍ରମୋସନ କାର୍ଯ୍ୟକ୍ରମ ବାଲେଶ୍ୱରେ ଠାରେ ଅନୁଷ୍ଠିତ ହୋଇଯାଇଛି। ୧୨ ଜୁନ୍ ଅର୍ଥାତ୍ ରଜରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଗ୍ରାଣ୍ଡ୍ ମ୍ୟୁଜିକ୍ ରିଲିଜ୍ ପାଇଁ ପ୍ରଥମଥର ବାଲେଶ୍ୱର ମାଟିରେ ପହଞ୍ଚିଥିଲେ ଅନୁଭବ ମହାନ୍ତି। ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫିଲ୍ମର ସମସ୍ତ କଳାକାର, କଣ୍ଠଶିଳ୍ପୀ ଓ କ୍ରିୟୁ ମେମ୍ବର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଓ ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା ସମ୍ପୂର୍ଣ୍ଣ ଟିମ୍।

ଏହି ଅବସରେ ଅଭିଜିତ୍ ମଜୁମଦାରଙ୍କ ପତ୍ନୀ ରଞ୍ଜିତା ମଜୁମଦାର ଓ ପୁଅ ଆୟୁଷ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ନିଜ ସହରରେ ଅନୁଭବଙ୍କୁ ପାଇ ବାଲେଶ୍ୱରବାସୀଙ୍କ ଉତ୍ସାହ ଥିଲା ଦେଖିବା ଭଳି। ପ୍ରଶଂସକଙ୍କ ଭିଡ଼ ଦେଖି ଅନୁଭବ ଖୁସି ବ୍ୟକ୍ତ କରିବା ସହ ବାଲେଶ୍ୱରବାସୀଙ୍କୁ ସ୍ନେହ ଓ ଆଶୀର୍ବାଦ ମାଗିଥିଲେ। ଟିମ୍ ମଧ୍ୟ ବାଲେଶ୍ୱର ମାଟିରେ ପ୍ରଥମ ଗ୍ରାଣ୍ଡ୍ ମ୍ୟୁଜିକ୍ ରିଲିଜ୍‌କୁ ଖୁବ୍ ଉପଭୋଗ କରିଥିଲେ। ଫିଲ୍ମ ରିଲିଜ୍ ପୂର୍ବରୁ ‘ଆମେ ବାଳୁଙ୍ଗା ଟୋକା’ ଓ ‘ତୁ କି ସେଇ ସପନ ପରିଟେ ଯାହାକୁ ନିତି ମୁଁ ଦେଖୁଛି’ର ଷ୍ଟୁଡିଓ ଭର୍ସନ୍ ଗୀତ ଦୁଇଟି ମୁକ୍ତିଲାଭ କରିସାରିଛି। ଏଥିମଧ୍ୟରୁ ‘ବାଳୁଙ୍ଗା ଟୋକା’ ଗୀତଟି ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି। ଏହି ଗୀତକୁ ଅନୁଭବ ମହାନ୍ତି ନିଜେ ଗାଇଥିବା ବେଳେ ଅଭିନେତା ପପୁ ପମ୍ ପମ୍ ମଧ୍ୟ କଣ୍ଠଦାନ କରିଛନ୍ତି। ପୂର୍ବରୁ ‘ବାଳୁଙ୍ଗା ଟୋକା’ ଫିଲ୍ମର ଟାଇଟଲ୍ ଟ୍ରାକ୍ ଦର୍ଶକଙ୍କ ହୃଦୟ ଜିଣିଥିଲା। ଡ. ନିର୍ମଳ ନାୟକ ରଚିତ ଏବଂ ସ୍ୱର୍ଗତ ଅଭିଜିତ୍ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ସେହି ଗୀତକୁ ବଲିଉଡ୍ ଗାୟକ ବିନୋଦ ରାଠୋର୍ ଗାଇଥିଲେ। ଏବେ ସେହି ଗୀତକୁ ନୂଆ ଆଙ୍ଗିକରେ ପୁଣି ଆଣିଛନ୍ତି ଅନୁଭବ। ‘ଆମର ଷ୍ଟୁଡିଓ’ ଓ ଏସ୍‌ଏମ୍ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟସ୍ ‘୨୯ ଟୁ ନାଇନ୍ ଫିଲ୍ମସ୍‌’ର ମିଳିତ ପ୍ରଯୋଜନାରେ ନିର୍ମିତ ‘ଛକିଶୂନ’ର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢିହାରୀ। ସେ ହିଁ କାହାଣୀ ଲେଖିଥିବା ବେଳେ ଜାଗୃତି, ଅନୁଭବ ମହାନ୍ତି, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି। ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ଭାବେ ଅଛନ୍ତି ପ୍ରଣୟ ଜେଠୀ। ଅନୁଭବଙ୍କ ସହ ଫିଲ୍ମରେ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ ପ୍ରମୁଖ ଅଭିନୟ କରିଛନ୍ତି। ରଜ ପର୍ବରେ ଫିଲ୍ମଟି ଦର୍ଶକଙ୍କ ପାଇଁ ଏକ ବଡ଼ ଧମାକା ଆଣିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଏହି କାର୍ଯ୍ୟକ୍ରମକୁ ଅନୁମତି ମିଳିଥିବା ସମୟ ଅତିକ୍ରାନ୍ତ ହୋଇଯିବା କାରଣରୁ ପୋଲିସ ଆସି ବନ୍ଦ କରିଥିଲେ ମଧ୍ୟ ଅନୁଭବ ବିନା ସାଉଣ୍ଡ ଓ ଆଲୋକରେ ମଧ୍ୟ କାର୍ଯ୍ୟକ୍ରମକୁ ଅନ୍ତିମ ସ୍ପର୍ଶ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.