ବାଲେଶ୍ୱରରେ ପରିବେଶ ସୁରକ୍ଷା ଯୋଦ୍ଧା ହେଲେ ସମ୍ବର୍ଦ୍ଧିତ : ୧୫ ଜଣଙ୍କୁ ‘ପ୍ରକୃତି ବନ୍ଧୁ-ମିତ୍ର’ ସମ୍ମାନ ପ୍ରଦାନ

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ପରିବେଶ ଦିବସ ଅବସରେ ବାଲେଶ୍ୱର ଜିଲ୍ଲା ପରିବେଶ ସମିତି ପକ୍ଷରୁ ପରିବେଶ ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ଉତ୍ସବରେ ୧୦ ଜଣ ପ୍ରକୃତି ବନ୍ଧୁ ଓ ୫ ଜଣ ପ୍ରକୃତି ମିତ୍ରଙ୍କୁ ମାନପତ୍ର ସହ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବନ ସଂରକ୍ଷକ ତପନ କୁମାର ପରିଡା ପରିଚାଳନା କରିଥିଲେ। ପ୍ରତ୍ୟେକ ପ୍ରକୃତି ବନ୍ଧୁଙ୍କୁ ୧୦,୦୦୦ ଟଙ୍କା ଓ ପ୍ରକୃତି ମିତ୍ରଙ୍କୁ ୨୦,୦୦୦ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଥିଲା।

ସଭାରେ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପ୍ରଦୀପ କୁମାର ଭୋଳ, ଜଳାଶୟ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର, ଜିଲ୍ଲା ଯକ୍ଷ୍ମା ଅଫିସର ଡା. ମନୋଜ କୁମାର ସାହୁ, ଅତିରିକ୍ତ କୃଷି ଅଧିକାରୀ ଶୁଭତ୍ମା ଭୂୟାଁ ଓ ସ୍ୱେଚ୍ଛାସେବୀ ସଂଗଠନ ସମ୍ପାଦକ ଜୀବନ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ପୁରସ୍କୃତ ସମସ୍ତେ ନିଜ ନିଜ ଅଭିଜ୍ଞତା ବିଷୟରେ ବକ୍ତବ୍ୟ ରଖିଥିଲେ।

୧୯୭୩ ମସିହାରୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (UNEP) ଦ୍ୱାରା ପରିଚାଳିତ ହେଉଥିବା ବିଶ୍ୱ ପରିବେଶ ଦିବସ ଏବେ ପରିବେଶ ସଚେତନତାର ସବୁଠୁ ବଡ଼ ବିଶ୍ୱ ପ୍ଲାଟଫର୍ମ ପାଲଟିଛି। ୨୦୨୬ ମସିହାର ଥିମ୍ ରହିଛି “ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଏବଂ ଆମ ଭବିଷ୍ୟତ ପାଇଁ”। ଏବର୍ଷ ଆଜରବୈଜାନର ବାକୁ ସହର ଏହି ଦିବସର ଆୟୋଜକ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.