ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ଵ ପରିବେଶ ଦିବସ ୨୦୨୬ ପାଳନ ଅବସରରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କୁ “ପ୍ରକୃତି ବନ୍ଧୁ” ପୁରସ୍କାର ୨୦୨୬ ରେ ସମ୍ମାନିତ କରାଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପରିବେଶ ସମିତି ଦ୍ୱାରା ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପରିସରରେ ଶିକ୍ଷା ଓ ପରିବେଶ ସଚେତନ ଅଭିଯାନ, ବର୍ଯ୍ୟ ବସ୍ତୁ ପରିଚାଳନା, ବୃକ୍ଷରୋପଣ, ବନ୍ୟଜନ୍ତୁ ସଂରକ୍ଷଣ, ଜଳ ଓ ମୃତ୍ତିକା ସଂରକ୍ଷଣ,ଜଙ୍ଗଲ ସୁରକ୍ଷା, ଜନସଂଖ୍ୟା ବୃଦ୍ଧି ଓ ତାର ସମାଧାନ ଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିପାରିଛନ୍ତି ଶ୍ରୀ ଶାହା। ବିଦ୍ୟାଳୟର ୟୁଥ ଓ ଇକୋ କ୍ଲବ, ବିଜ୍ଞାନ ଓ ଗଣିତ କ୍ଲବ, ମିନା ମଞ୍ଚ, ସ୍କୁଲ କ୍ୟାବିନେଟ, ହାଉସ ସିଷ୍ଟମ ଆଦି ବିଭିନ୍ନ ସଂଗଠନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନେକ କର୍ମଶାଳା, ପୋଷ୍ଟର ତିଆରି, ଭାଷଣ ପ୍ରଦାନ, ସେମିନାର, ବିଜ୍ଞାନ ମେଳା, ଗାଁ ସଫେଇ ଓ ପରିକ୍ରମା ଆଦି ସବୁ ଆୟୋଜନ କରାଇ ସମାଜକୁ ସଚେତନାତ୍ମକ ବାର୍ତ୍ତା ଦେଉଥିଲେ। ବିଗତ ୨୦୨୩ ମସିହାରେ ଶିକ୍ଷା ବିଭାଗ ତରଫରୁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ସହିତ ୨୦୨୫ ମସିହାରେ “ପ୍ରକୃତି ମିତ୍ର” ପୁରସ୍କାର ପାଇ ବିଦ୍ୟାଳୟ ଏହି ଅଞ୍ଚଳରେ ସୁନାମ ଅର୍ଜନ କରିଆସୁଅଛି। ତାଙ୍କରି ନେତୃତ୍ୱରେ ଏହି ଅନୁଷ୍ଠାନ ପରିବେଶ ଶିକ୍ଷା ସହ ବ୍ୟବହାରିକ ସଂରକ୍ଷଣ ଓ ଗୋଷ୍ଠୀ ସହାଭାଗିତାକୁ ଯୋଡି ଏକ ଆଦର୍ଶ ବିଦ୍ୟାଳୟ ଭାବେ ଉଭା ହୋଇପାରିଛି। ଏହି ଅବସରରେ ଶ୍ରୀ ସାହା ନିଜ ପ୍ରତିକ୍ରିୟାରେ ଏହି ସମସ୍ତ ଶ୍ରେୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ ଏବଂ ସ୍ଥାନୀୟ ଜନ ସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି।





