ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଲାଞ୍ଜିଗଡ଼ ଭଳି ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଅଞ୍ଚଳରେ ଅନେକ ପ୍ରତିଭାବାନ ଶିକ୍ଷାର୍ଥୀ ରହିଛନ୍ତି। ସେମାନଙ୍କୁ ଉପଯୁକ୍ତ ସୁବିଧା, ସୁଯୋଗ ଏବଂ ପ୍ରଶିକ୍ଷଣ ମିଳିଲେ ଭବିଷ୍ୟତରେ ସେନାବାହିନୀ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ଚୟନ ହୋଇ ଅଞ୍ଚଳ ଓ ଜିଲ୍ଲାର ନାମ ଉଜ୍ଜ୍ୱଳ କରିପାରିବେ। ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାଉଗୁଡାସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି କ୍ୟାଡେଟମାନେ। ଝାରସୁଗୁଡା ଜିଲ୍ଲା ବେଲପାହାଡ଼ସ୍ଥିତ ବି. ଆର ହାଇସ୍କୁଲଠାରେ ଓଡ଼ିଶା ଏୟାର ସ୍କ୍ୱାର୍ଡନ ଏନସିସି ଦ୍ୱାରା ଆୟୋଜିତ ବାର୍ଷିକ ତାଲିମ ଶିବିରରେ ଏହି ବିଦ୍ୟାଳୟର ୨୫ଜଣ ଏନସିସି କ୍ୟାଡେଟ ଭାଗ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଶିବିରରେ କ୍ୟାଡେଟମାନେ ଡ୍ରିଲ୍ରେ ପ୍ରଥମ, କ୍ରୀଡ଼ାରେ ପ୍ରଥମ, ଦଳଗତ ନୃତ୍ୟରେ ପ୍ରଥମ ଏବଂ ଏକକ ନୃତ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହା ସହିତ ବିଦ୍ୟାଳୟ ସାମଗ୍ରିକ ପ୍ରଦର୍ଶନରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା। ଏନସିସି ସେକେଣ୍ଡ ଅଫିସର ସନ୍ଦୀପ ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ଏହି କ୍ୟାଡେଟମାନଙ୍କ ସଫଳତାରେ ଶ୍ରୀ ମିଶ୍ର ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଅଞ୍ଚଳବାସୀ କ୍ୟାଡେଟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।





