ସୋନପୁରରେ ପ୍ରାର୍ଥୀ ପତ୍ର ଦାଖଲ କଲେ ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସ୍ଥାନୀୟ ରୟାଲ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହଳ ବଳଦ ଶଗଡ଼ ଗାଡ଼ିରେ ବାହାରି ଉପଜିଲ୍ଲାପାଳଙ୍କ ଠାରେ ସୋନପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବନିର୍ମାଣ କୃଷକ ସଂଗଠନ ସମର୍ଥିତ ଉଚ୍ଚ ଶିକ୍ଷିତା ମହିଳା ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି। ତାଙ୍କର ଏହି ଶୋଭାଯାତ୍ରାରେ ସ୍ଵତଃ ପ୍ରତଃ ଭାବେ ଚାଷୀ ପ୍ରତିନିଧିମାନେ ଶଗଡ ଗାଡ଼ିରେ ଆସି ଏଥିରେ ସାମିଲ ଥିବା ଦେଖାଯାଇଥିଲା। ସୋନାଲି ତାଙ୍କର ନିର୍ବାଚନ ପ୍ରଚାର କେବେ ନିଜେ ଟ୍ରାକ୍ଟର ଚଳାଇ ଟ୍ରାକ୍ଟର ରାଲି କରିଥିବାବେଳେ କେବେ ଘରକୁ ଘର ବୁଲି ପ୍ରତ୍ୟହ ଭୋଟ ଭିକ୍ଷା ସହ ନିର୍ବାଚନୀ ଖର୍ଚ୍ଚ ପାଇଁ ଚାଉଳ ଓ କିଛି ଅର୍ଥ ଭିକ୍ଷା ମଧ୍ୟ କରୁଛନ୍ତି। ତାଙ୍କର ପ୍ରଚାର ଶୈଳୀରେ ସଦାବେଳେ କିଛିନା କିଛି ସ୍ଵତନ୍ତ୍ରତା ବଜାୟ ରଖି ଆସୁ ଥିବାବେଳେ ଆଜିର ଏହି ଶୋଭାଯାତ୍ରାରେ ହଳ ବଳଦ ଶଗଡ ଗାଡି ସହ ଚାଷୀଙ୍କ ଗହଣରେ ଜୟ କିଶାନ ଜୟ କୋଶଳ ନାରା ସହର ବାସୀଙ୍କ ମଧ୍ୟରେ ଖୁବ୍ ଗ୍ରହଣୀୟ ହୋଇଥିବା ପରିଲକ୍ଷିତ ହୋଇଛି। ସୋନପୁରରେ ଦୀର୍ଘ ୨୪ ବର୍ଷ ପରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଵିରୁଦ୍ଧରେ ପ୍ରଥମ ଥର ଜଣେ ଉଚ୍ଚ ଶିକ୍ଷିତା ମହିଳା ପ୍ରାର୍ଥୀ ସ୍ଵର ଉତ୍ତୋଳନ କରିବା, ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଓ ଉପସ୍ଥିତିକୁ ଜାହିର କରିବା ନେଇ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇବା ବିଷୟ ଜିଲ୍ଲା ବାସୀଙ୍କ ହୃଦ୍ କମ୍ପନ ସୃଷ୍ଟି କରିବା ସହ ଲୋକଙ୍କ ଉତ୍କଣ୍ଠା ବଢାଇ ଥିବା ବେଳେ ଏହା ସାରା ରାଜ୍ୟରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ବଳଦ ଗାଡିରେ ପାରମ୍ପରିକ ଢୋଲ ବାଦ୍ୟ ଓ ଚାଷୀ ସମର୍ଥକଙ୍କ ସହିତ ଏକ ନିରାଡ଼ମ୍ବର ଓ ପ୍ରଦୂଷଣ ମୁକ୍ତ ଶୋଭାଯାତ୍ରାରେ ଆସି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନାଲି। ସହରବାସୀଙ୍କୁ ହାତ ଯୋଡି ହସି ହସି ସମ୍ମାନ ଓ ନମ୍ରତାର ସହିତ ଭୋଟ ଭିକ୍ଷା କରିଛନ୍ତି ଏବଂ ନାରୀ ଶକ୍ତି ପାଇଁ ଜିଲ୍ଲାରେ ଏକ ଉଦାହରଣ ପାଲଟିଛନ୍ତି। ଯାହାକି ଆଜି ଜିଲ୍ଲାର ସବୁ ବର୍ଗର ଲୋକେ ସୋନାଲିଙ୍କ ସାହାସ ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଏବଂ ସ୍ବତଃ ପ୍ରତଃ ଭାବେ ସବୁ ସ୍ତରରେ ସହଯୋଗ ପାଇଁ ପ୍ରତିଶୁତି ଦେଇଛନ୍ତି। ବାପୁଜୀ କ୍ଲବରେ ତାଙ୍କ ଚାଷୀ ସମର୍ଥକଙ୍କ ପାଇଁ ଦହି ପଣା ଓ ରନ୍ଧା ଖାଦ୍ୟ ନିଜେ ବାଣ୍ଟି ଥିଲେ ଓ ଶଗଡ ଗାଡିର ବଳଦ ମାନଙ୍କ ପାଇଁ ତସୁ କୁଣ୍ଡା ମହୁଲ ପାଳ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦେଇଥିଲେ। ବଳଦ ଗାଡିର ବାହକଙ୍କ ପାଇଁ ନୂଆଁ ବସ୍ତ୍ର ପରିଧାନର ବ୍ୟବସ୍ଥାକୁ ବି ଭୁଲି ନ ଥିଲେ ସୋନାଲି। ଚାଷୀ ନେତା ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ନରେନ୍ଦ୍ର ଆଚାର୍ଯ୍ୟ, ବୈକୁଣ୍ଠ ଶତପଥି, ରାଜେନ୍ଦ୍ର ମିଶ୍ର, ରାଜେନ୍ଦ୍ର ପଧାନ, ପ୍ରଦୀପ ସ୍ୱାଇଁ ପ୍ରମୁଖ ବହୁ ଚାଷୀ ନେତା ଏହି ନିଆରା ଶୋଭାଯାତ୍ରାରେ ସାମିଲ ଥିଲେ। ବଲାଙ୍ଗିରରେ ଜନ୍ମ ଗ୍ରହଣ ଓ ଶିକ୍ଷା ଲାଭ କରିଥିବା ଡିପ୍ଲୋମା ଇଞ୍ଜିନିୟର ସୋନାଲି ହେଉଛନ୍ତି ସେ ଅଞ୍ଚଳର ବିଶିଷ୍ଟ ସମାଜସେଵୀ ଶ୍ରୀକର ମିଶ୍ରଙ୍କ ଝିଆରୀ ଓ ସୁବର୍ଣ୍ଣପୁର ଜିଲ୍ଲା ବିଶିପଡ଼ା ଗାଁର ମଧ୍ୟବିତ୍ତ ପରିବାର ଚାଷୀ ବଲି ବିଶିଙ୍କ ବୋହୁ ଅଟନ୍ତି। ସ୍ବାମୀ ଚନ୍ଦନ ବିଶି ମଧ୍ଯ ଜଣେ ଡିପ୍ଲୋମା ଇଞ୍ଜିନିୟର ଅଟନ୍ତି। ସ୍ବାମୀ, ଶ୍ଵଶୁର, କାକାଙ୍କ ସମେତ ନବ ନିର୍ମାଣ କୃଷକ ସଂଗଠନ ର ସମସ୍ତ ନେତ୍ରୁ ମଣ୍ଡଳୀ ଓ ଚାଷୀଙ୍କ ପରାମର୍ଶ ନେଇ ସ୍ବାଧିନ ପ୍ରାର୍ଥୀ ସୋନାଲି ବିଶି ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇ ଥିବା ଓ ଅଶି ଭାଗ ଚାଷୀ ଥିବା ଚାଷୀଙ୍କ ହକ ପାଇଁ ଓଡ଼ିଶାରେ ଆଗମୀ ଦିନରେ ଗୋଟେ ଚାଷୀ ସରକାର ଗଠନ କରିବା ଲକ୍ଷ୍ୟ ନେଇ ସଂଘର୍ଷ ଜାରି ରହିବ ବୋଲି ସେ ମିଡିଆଙ୍କୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.