ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସହରର ଫକୀରମୋହନ କଲେଜ ରୋଡ୍ ଓ ଚାନ୍ଦିପୁର ରୋଡ୍ରେ ଥିବା ବିଭିନ୍ନ ମିଠା ଦୋକାନ, ଫାଷ୍ଟଫୁଡ୍ ଷ୍ଟଲ୍ ଓ ହୋଟେଲ୍ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ଦୋକାନରୁ ନଷ୍ଟ ହୋଇଥିବା ଖୁଆ, ଛେନା, ମସଲା ଗ୍ରେଭି ସମେତ ଖାଦ୍ୟରେ ବ୍ୟବହୃତ ନିଷିଦ୍ଧ ରଙ୍ଗ ଓ ଚାଇନା ସଲ୍ଟ ଜବତ କରାଯାଇଛି।ଜବତ ହୋଇଥିବା ଅସ୍ୱାସ୍ଥ୍ୟକର ଓ ନଷ୍ଟ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କରୁଥିବା ବିଭିନ୍ନ ଦୋକାନୀଙ୍କଠାରୁ ମୋଟ ୨୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ କରୁଥିବା ଦୋକାନୀମାନଙ୍କୁ ସ୍ୱଚ୍ଛତା ଓ ଖାଦ୍ୟର ଗୁଣବତ୍ତା ବଜାୟ ରଖିବାକୁ ତାଗିଦ୍ କରାଯାଇଛି। ଜନସାଧାରଣଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।





