ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବିପର୍ଯ୍ୟୟର ଅନ୍ଧକାର ଭିତରେ ଖୁସିର ଆଲୋକ ଭରିବାକୁ ପ୍ରଶାସନର ଏକ ନିଆରା ପ୍ରୟାସ। ବନ୍ୟାରେ ସର୍ବସ୍ୱ ହରାଇଥିବା ପରିବାରଙ୍କ ମନରେ ଆଶା ଓ ଆନନ୍ଦ ଭରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛି ଜିଲ୍ଲା ପ୍ରଶାସନ। ଏହି ଅବସରରେ ହାଣ୍ଡିଘର ଗ୍ରାମରେ ପହଞ୍ଚି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଶନ ବାତ୍ୟା ଓ ବନ୍ୟା ପ୍ରଭାବିତ ପରିବାରର ସଦସ୍ୟ ଏବଂ ଗ୍ରାମର ଶିଶୁମାନଙ୍କୁ ବସ୍ତ୍ର, ମିଠା ଓ ଦୀପ ପ୍ରଦାନ କରି ଦୀପାବଳିର ଖୁସି ବାଣ୍ଟିଥିଲେ। ଶିଶୁମାନଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ମନରେ ଆନନ୍ଦ ଓ ନୂଆ ଆଶାର ସଞ୍ଚାର କରିଥିଲେ। ଜିଲ୍ଲାପାଳଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପିଡି ସଚ୍ଚିଦାନନ୍ଦ ନାୟକ, ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ମାନବିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି ବନ୍ୟାରେ ସର୍ବାଧିକ ପ୍ରଭାବିତ ପୁରୁଷୋତ୍ତମପୁର ସହରର କନକା ନଦୀପଦର ସାହିରେ ଉପଜିଲ୍ଲାପାଳ ସୁଭାଶିଷ ବରାଳ ରହି ବସ୍ତିବାସିନ୍ଦାଙ୍କ ସହ ଦୀପାବଳି ପାଳନ କରିଥିଲେ। ଏହି ଅବସରରେ ସେ ବସ୍ତିବାସିନ୍ଦାଙ୍କୁ ଦୀପାବଳି ଉପହାର ପ୍ରଦାନ କରିବା ସହ କୁନି କୁନି ପିଲାମାନଙ୍କ ସହ ଉତ୍ସବର ଖୁସି ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବନ୍ୟାରେ ଅନେକ ପରିବାରଙ୍କ ଘରଦ୍ୱାର, ଜୀବିକା ଓ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପର୍ବର ଏହି ଅବସରରେ ପ୍ରଶାସନର ଏଭଳି ମାନବିକ ପଦକ୍ଷେପ ବିପନ୍ନଙ୍କ ମନରେ ଆଶ୍ୱାସନା ଓ ଆତ୍ମବିଶ୍ୱାସ ଭରିଛି। ଏହାପରେ କେ ଏନ ପୁର ଗ୍ରାମରେ ପହଞ୍ଚି ଜିଲ୍ଲପାଳ ଏହି ଉପହାର ମଧ୍ୟ ପ୍ରଦାନ କରିଥିଲେ।





