ଫ୍ରେଣ୍ଡସ୍ ଇଲେଭେନ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚେତନା ଅନୁଷ୍ଠାନରେ ଦୀପାବଳି ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଫ୍ରେଣ୍ଡସ୍ ଇଲେଭେନ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ଦୀପାବଳି ଉତ୍ସବ–୨୦୨୬ ଆନନ୍ଦ, ଉତ୍ସାହ ଓ ଆତ୍ମୀୟତାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଚେତନା ଅନୁଷ୍ଠାନର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଏଥିସହ ଜଳଖିଆ, ମିଷ୍ଟାନ୍ନ ଓ ଦୀପ ବଣ୍ଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋକର ପର୍ବକୁ ସମସ୍ତେ ମିଳିମିଶି ଉପଭୋଗ କରିଥିଲେ। ସମସ୍ତଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ କରାଯାଇଥିବା ବେଳେ ପରିବେଶ ଅନୁକୂଳ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ଆହୁରି ଆନନ୍ଦମୟ କରାଯାଇଥିଲା। ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ ସମାବେଶୀ ଭାବନା, ଭାଇଚାରା, ମାନବିକତା ଓ ସେବା ମନୋଭାବର ବାର୍ତ୍ତା ପ୍ରସାର କରିବା। ଏହି ଅବସରରେ ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିନୟ ଭୂଷଣ ମହାପାତ୍ର ଏବଂ ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ କରଙ୍କୁ ଫ୍ରେଣ୍ଡସ୍ ଇଲେଭେନ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ବିଶ୍ୱାଳ, ଝରି ସାହୁ, ସଂଗ୍ରାମ ସ୍ୱାଇଁ, ସାଗର ପଟ୍ଟନାୟକ, ଅଶ୍ୱିନୀ ବେହେରା, ମନୋରମା ବେହେରା ଓ ତୁଷାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଟ୍ରଷ୍ଟର ସମ୍ପାଦକ କାହ୍ନୁ ଚରଣ ବିଶ୍ୱାଳ, କାର୍ଯ୍ୟକାରୀ ସମ୍ପାଦକ ଅନୁପ କୁମାର ନାଏକ ଏବଂ ପରିଚାଳକ ଗଜାନନ ବିଶ୍ୱାଳ ତଥା ଚେତନା ଅନୁଷ୍ଠାନର ଆୟୁଷ୍ମାନ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ଟ୍ରଷ୍ଟ ପକ୍ଷରୁ ସମସ୍ତ ଅତିଥି, ସହଯୋଗୀ, ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେମାନଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ଆନ୍ତରିକ କୃତଜ୍ଞତା ଜଣାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.