ସ୍ବାମୀଙ୍କ ପାଇଁ କରୁଛନ୍ତି ଭୋଟ ଭିକ୍ଷା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଏକ ଚର୍ଚ୍ଚିତ ଆସନ ନର୍ଲା ନିର୍ବାଚନ ମଣ୍ଡଳୀରେ ଚାଲିଛି ଘୋମାଘୋଟ ଲଢ଼େଇ। ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ଏହି ଆସନର ୧୨ଜଣ ପ୍ରାର୍ଥୀ ନିଜ ନିଜ ପ୍ରଚାର ଜାରି ରଖିଛନ୍ତି। କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ନିର୍ବାଚନ ମଣ୍ଡଳୀର କର୍ଲାମୁଣ୍ଡା, ମ.ରାମପୁର, କେସିଙ୍ଗା ଓ ନର୍ଲା ବ୍ଲକ ଅଞ୍ଚଳରେ ମାରାଥନ୍ ପ୍ରଚାର କରୁଛନ୍ତି। ଏହାରି ଭିତରେ ଭକ୍ତ ଦାସଙ୍କ ଧର୍ମପତ୍ନୀ ସୁନନ୍ଦା ଦାସ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଶ୍ରୀମତୀ ଦାସ ଯୁବ ନେତା ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି), ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତନୁ ମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ଓ ଦଳୀୟ କର୍ମୀଙ୍କ ସହ ଘଣ୍ଟମାଳ, କେଶପଲା, ଇନ୍ଦ୍ରମାଲ, ରାନିପଟା, ଲୁହାଜୋର, ଗାଡେବନ୍ଧ, ଖମନପଡା, ଦେଣ୍ଡୋଗୁଡା ସମେତ ସରିଆଁ ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ଭୋଟ ଭିକ୍ଷା କରିଥିଲେ। ସମସ୍ତ ଗ୍ରାମରେ ସୁନନ୍ଦା ଦାସଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଉଥିବା ଦେଖିବାକୁ ମିଳିଥିଲା।