ବ୍ଲକ ପ୍ରଶାସନର ମନମୁଖି କାର୍ଯ୍ୟକଳାପକୁ ଦୃଢ଼ ବିରୋଧ; ତଦନ୍ତ ଦାବି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଚାଞ୍ଚେର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ଉପସଭାନେତ୍ରୀ ଅଞ୍ଜୁ କୁମାର କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଆଜି ଅର୍ଥାତ ସେପ୍ଟେମ୍ୱର ୧୭ରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆମ ଓଡିଶା ନବିନ ଓଡିଶା ସଚେତନ କାର୍ଯ୍ୟକ୍ରମ, ରଥ ପରିକ୍ରମା ଏବଂ ନୂଆଁ ଓ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ହେରଫେର କରି କେସିଙ୍ଗା ବ୍ଲକ କର୍ତ୍ତୃପକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିବା ସହ ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଟ.୨,୫୦,୦୦୦/- (ଦୁଇ ଲକ୍ଷ ପଚାଶ ହଜାର ଟଙ୍କା) ର ଖେଳ ସାମଗ୍ରୀ ଦେବା ପାଇଁ ଆମ ଓଡିଶା ନବିନ ଓଡିଶା ଯୋଜନାର ଲୋକ ପ୍ରତିନିଧୁମାନଙ୍କର ମତକୁ ଅସ୍ବିକାର କରି ବ୍ଲକ କର୍ତ୍ତୃପକ୍ଷ ନିଜର ମନମୁତାବିକ ଟେଣ୍ଡର କରିଥିଲେ। ଖେଳ ସାମଗ୍ରୀ ଗୁଡିକ କେସିଙ୍ଗା ବ୍ଲକ ଗ୍ରାମ ପଞ୍ଚାୟତମାନଙ୍କୁ ଠିକ୍ ହିସାବରେ ଦିଆଯାଇ ନାହିଁ। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଦାବୀ କରିଥିଲେ। ଏହାସହ ସରପଞ୍ଚ, ସମିତି ସଭ୍ୟମାନଙ୍କୁ ଅଣଦେଖା କରି ଠିକ୍ ସମୟରେ ସମିତି ବୈଠକ ନକରିବା ଠିକାଦାରମାନଙ୍କୁ ହଇରଣା କରି ବିଲମ୍ବରେ ବିଲ କରିବା, ଏମଜିଏନ ଆରଇଜିଏ କାର୍ଯ୍ୟ ଆଜିକୁ ପ୍ରାୟ ଅଢେଇ ବର୍ଷ ହେଲା କୌଣସି କାମକୁ ଏପ୍ରୁଭ ନକରିବା, ପଦବୀର ଅପବ୍ୟବହାର ଏବଂ ମନମୁଖୀ କାର୍ଯ୍ୟ କରିବା, ଅସାଧୁ ଉପାୟରେ ଅତ୍ୟଧିକ ପିସି କାରବାର କରି ଟଙ୍କା ଆତ୍ମସାତ କରିବା ଆଦି ଅଭିଯୋଗ କରିଛନ୍ତି। ଫାଇବ୍-ଟି ଯୋଜନାରେ ହାଇସ୍କୁଲ ମାନଙ୍କର କାର୍ଯ୍ୟ ଶେଷ କରିଥିବା ଠିକାଦାରମାନଙ୍କୁ ଆଜିକୁ ପ୍ରାୟ ଦୁଇ ବର୍ଷ ହେଲା ଜାଣି ଶୁଣି ଟଙ୍କା ଦେବାରେ ଅବହେଲା କରି ହଇରାଣ କରୁଛନ୍ତି ଏବଂ ଜନସାଧାରଣଙ୍କର ଅଭିଯୋଗ ଠିକ୍ ସମୟରେ ବ୍ଲକ କର୍ତ୍ତୃପକ୍ଷ ଅଫିସ ମଧ୍ୟ ଆସୁ ନାହାନ୍ତି। ଏଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ନେଇ ଦାବୀ କରିଛନ୍ତି ସରପଞ୍ଚ ଶ୍ରୀମତୀ କୁମାର। ତାଙ୍କର ଏହି ଧାରଣାକୁ କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା ସମର୍ଥନ କରିଥିବା ଜଣାପଡିଛି। ସେହିପରି ଭାବେ କଳାହାଣ୍ଡି ଜିଲ୍ଲା ସମିତି ସଭ୍ୟ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲାର ବିଭିନ୍ନ ବ୍ଲକରୁ କିଛି ସରପଞ୍ଚ ଓ କିଛି ସମିତି ସଭ୍ୟ ତଥା କେସିଙ୍ଗା ବ୍ଲକର ଅନେକ ସରପଞ୍ଚ, ସମିତି ସଭ୍ୟ ତଥା ବୁଦ୍ଧିଜୀବୀ ଏବଂ ଜନ ସାଧାରଣଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କେସିଙ୍ଗା ବ୍ଲକରେ ବ୍ୟାପକ ଦୁର୍ନିତୀ ଓ ଅନୀୟମିତତା ହୋଇଥିବା ଅଭିଯୋଗ ଉପରେ ଅଭିଯୋଗ ହୋଇ ଚାଲିଛି। ଶେଷରେ ମହିଳା ସରପଞ୍ଚ ଧାରଣାରେ ବସିବାକୁ ବାଦ୍ଧ୍ୟ ହୋଇଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।